Advertisement

ଶୁକ୍ରିଗୁଡ଼ା: ଚୁଆପାଣିରେ ଯେଉଁଠି ଜୀବନ ବଞ୍ଚେ

କୋରାପୁଟ, ୨।୨(ସ୍ବ.ପ୍ର.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକର ମୁଜାଙ୍ଗା ପଞ୍ଚାୟତର ଶୁକ୍ରିଗୁଡା ଗ୍ରାମର ଗାଦବା ସାହି ଲୋକେ ପାନୀୟ ଜଳ ପାଇଁ ନାହିଁ ନ ଥିବା ଅବସ୍ଥା ଭୋଗୁଛନ୍ତି। ଏଠାରେ ୧୬ଟି ଆଦିବାସୀ କନ୍ଧ ସମ୍ପ୍ରଦାୟର ପରିବାର ସବୁ କ୍ଷେତ୍ରରେ ଅବହେଳିତ ହୋଇ ରହିଛନ୍ତି। ଏଯାଏ ସେମାନଙ୍କୁ ଗୋଟିଏ ପକ୍କାଘର ମଧ୍ୟ ମିଳିନି। ବନ ସୁରକ୍ଷା ସମିତି ଗୃହ ପାର୍ଶ୍ୱରେ ଥିବା ନଳକୂପ ଦୀର୍ଘବର୍ଷ ହେଲା ଅଚଳ ହୋଇପଡିଛି। ଗ୍ରାମବାସୀ ଏଠାରେ ଜମିରେ ଥିବା ଏକ ଚୁଆ ପାଣି ଉପରେ ନିର୍ଭରକରୁଛନ୍ତି। ଏହି ପାଣିରେ ସେମାନଙ୍କ ଦୈନଦିନ ଜୀବନ ବିତୁଛି। ବର୍ଷା ଦିନେ ଗୋଳିଆପାଣି ଓ ଖରାଦିନେ କାଦୁଅ ପାଣି ପିଇ କାଛୁ କୁଣ୍ଡିଆ ଓ ଝାଡାବାନ୍ତି ପରି ବିଭିନ୍ନ ରୋଗରେ ପିଡିତ ହୋଇଥାନ୍ତି। ପାନୀୟ ଜଳ ସୁବିଧା ପାଇଁ ଗ୍ରାମବାସୀ ପଞ୍ଚାୟତ ଓ ପଞ୍ଚାୟତ ସମିତିକୁ ବାରମ୍ବାର ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ଚାଷକୁ ଜୀବିକା ରୂପେ ଗ୍ରହଣ କରିଥିବା ଏହି ଗ୍ରାମବାସୀ ସେଥିରୁ ଯାହା ଫସଲ ଉତ୍ପାଦନ କରନ୍ତି ସେଥିରେ କଷ୍ଟରେ ଚଳିଯାନ୍ତି। ଜଳସେଚନର ସୁବିଧା ନ ଥିବାରୁ ଲୋକେ ଧାନ ଚାଷ କରିପାରୁନାନ୍ତି। କେବଳ ମାଣ୍ଡିଆ ଓ ସୁଆଁ ଚାଷ କରିଥାନ୍ତି। ଗ୍ରାମରେ ଥିବା ନଳକୂପର ମରାମତି ନଚେତ ନୂତନ ନଳକୂପ ଖନନ କରିବାକୁ ଗ୍ରାମର ସନା ଜାନି, ମୁନୁ ସାଉଁନ୍ତା, ନୀଳ ସାଉନ୍ତା, କୁନି ସାଉନ୍ତା, ଆଲେମ ସାଉନ୍ତି, ଆମରି ସାଉନ୍ତା , ସନିଆ ସାଉଁନ୍ତା ପ୍ରମୁଖ ଦାବି କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share