Categories: ଖେଳ

୯ ବର୍ଷ ପରେ ଖୋଲିବାକୁ ଯାଉଛି ଚେପକ ଷ୍ଟାଡିୟମର ୩ ଷ୍ଟାଣ୍ଡ୍ସ

ଚେନ୍ନାଇ, ୭ା୨- ଦୀର୍ଘ ୯ ବର୍ଷ ପରେ ଦର୍ଶକଙ୍କ ପାଇଁ ଖୋଲିବାକୁ ଯାଉଛି ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମର ୩ ଷ୍ଟାଣ୍ଡ୍ସ ଆଇ, ଜେ ଓ କେ। ଆସନ୍ତା ୧୩ ତାରିଖଠାରୁ ଏଠାରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ବେଳେ ଦର୍ଶକଙ୍କ ପାଇଁ ଏହି ଷ୍ଟାଣ୍ଡ୍ସ ଖୋଲାଯିବ। ୨୦୧୧ ବିଶ୍ୱକପ୍‌ ପରେ ବିଭିନ୍ନ କାରଣ ଯୋଗୁ ଏହି ୩ ଷ୍ଟାଣ୍ଡ୍ସକୁ ସିଲ କରି ଦିଆଯାଇଥିଲା। ଏହି କାରଣରୁ ଚେପକ ଷ୍ଟାଡିୟମକୁ ହରାଇବାକୁ ପଡ଼ିଥିଲା ୨୦୧୬ରେ ଭାରତରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର କିଛି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଓ ୨୦୧୯ ଆଇପିଏଲ ଫାଇନାଲ ଆୟୋଜନ ଅଧିକାର।

କେବଳ ୨୦୧୨ରେ ଏଠାରେ ଖେଳାଯାଇଥିବା ଭାରତ-ପାକିସ୍ତାନ ମ୍ୟାଚ୍‌ବେଳେ ବ୍ୟତିକ୍ରମ ଦେଖାଦେଇଥିଲା। ଆସନ୍ତା ୧୩ରୁ ୧୭ ତାରିଖରେ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ପାଇଁ ୯ ତାରିଖରୁ ଟିକେଟ ବିକ୍ରି କରାଯିବ। ପାଖାପାଖି ୧୫ ହଜାର ଟିକେଟ୍‌ ଅନଲାଇନରେ ଉପଲବ୍ଧ ରହିବ। ଆଇ, ଜେ ଓ କେ ଷ୍ଟାଣ୍ଡ୍ସର ସଫେଇ କାମ ଚାଲୁଥିବା ଟିଏନ୍‌ସିଏ (ତାମିଲନାଡୁ କ୍ରିକେଟ ଆସୋସିଏଶନ) ପକ୍ଷରୁ କୁହାଯାଇଛି।