Categories: ଜାତୀୟ

ପ୍ରଶ୍ନ ପଚାରିବାରୁ ରିପୋର୍ଟରଙ୍କୁ ଧମକାଇଲେ ରାମଦେବ

ନୂଆଦିଲ୍ଲୀ,୩୧।୩: ବର୍ଦ୍ଧିତ ତେଲ ଦର ଉପରେ ପ୍ରଶ୍ନ କରିବାରୁ ଯୋଗ ଗୁରୁ ରାମଦେବ କ୍ୟାମେରା ଆଗରେ ଏକ ରିପୋର୍ଟରଙ୍କୁ ଧମକାଇଛନ୍ତି। ହରିୟାଣାର କର୍ନାଲଠାରେ ଆୟୋଜିତ ଏକ ଇଭେଣ୍ଟରେ ଜଣେ ଜର୍ନାଲିଷ୍ଟ ପତଞ୍ଜଳୀ ବ୍ରାଣ୍ଡ ଆମ୍ବାସାଡରଙ୍କ ଠାରୁ ବର୍ଦ୍ଧିତ ପେଟ୍ରୋଲ ଏବଂ ରନ୍ଧନ ଗ୍ୟାସ ଦର ଉପରେ ପ୍ରତିକ୍ରିୟା ମାଗିଥିଲେ।

ଏଥିରେ ରାମଦେବ କହିଥିଲେ, “ହଁ ମୁଁ କହିଥିଲି। ତୁମେ କ’ଣ କରିପାରିବ? ଏଭଳି ପ୍ରଶ୍ନ କର ନାହିଁ। ମୁଁ କ’ଣ ତୁମ କଣ୍ଟ୍ରାକ୍ଟର, ଯିଏ ତୁମ ସବୁ ପ୍ରଶ୍ନର ଉତ୍ତର ଦେବ”।

ଉକ୍ତ ଖବରଦାତା ପୁଣି ଥରେ ପ୍ରଶ୍ନ କରିବାରୁ ରାମଦେବ ବିରକ୍ତ ହୋଇ କହିଥିଲେ, ମୋର ଯାହା କହିବାର ଥିଲା, କହିସାରିଛି। ଏବେ କ’ଣ କରି ଦେବ। ଚୁପ୍‌ ରୁହ। ଯଦି ତୁମେ ପୁଣି ପ୍ରଶ୍ନ କର, ତେବେ ତାହା ତୁମ ପାଇଁ ଭଲ ହେବ ନାହିଁ। ଏଭଳି କଥା ହୁଅ ନାହିଁ।

“ ଯଦି କମ୍‌ ଦରରେ ପେଟ୍ରୋଲ, ଡିଜେଲ ବିକ୍ରି କରାଯାଏ, ତେବେ ସରକାର ଟିକସ୍‌ ପାଇବେ ନାହିଁ। ଟିକସ ନ ପାଇଲେ ଦେଶ କେମିତି ଚାଲିବ, ଦରମା କେଉଁ ଭଳି ଦିଆଯିବ। ବର୍ଦ୍ଧିତ ଦର ହ୍ରାସ ପାଇବା ଉଚିତ। ଏଥିରେ ମୁଁ ଏକମତ। କିନ୍ତୁ ଲୋକଙ୍କୁ କଠିନ କାର୍ଯ୍ୟ କରିବାକୁ ପଡ଼ିବ। ଏପରି କି ମୁଁ ରାତିରେ ୪ରେ ଉଠିବା ପରେ ରାତି ୧୦ ପର୍ଯ୍ୟନ୍ତ କାମ କରେ” ବୋଲି ରାମଦେବ କହିଛନ୍ତି।

Share