ନିକଟରେ ଅଷ୍ଟାଦଶ ଲୋକ ସଭା ନିର୍ବାଚନ ଶେଷ ହୋଇ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନ୍ଡିଏ)ର ମିଳିତ ସରକାର ଗଠନ ହୋଇଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ତାଙ୍କର ତୃତୀୟ ପାଳି ଆରମ୍ଭ କରିଛନ୍ତି। କିନ୍ତୁ ନିର୍ବାଚନ ପରେ ଭାଜପା ନିଜେ ମ୍ୟାଜିକ ନମ୍ବର ହାସଲ କରି ନ ପାରିବା ପଛରେ ଅନେକ କାରଣ ରହିଥିବା ରାଜନୈତିକ ପର୍ଯ୍ୟବେକ୍ଷକମାନେ କହୁଛନ୍ତି। ଏହା ସହ ୨୦୨୪ ଲୋକ ସଭା ନିର୍ବାଚନର ଉଲ୍ଲେଖନୀୟ ବିଷୟ ହେଉଛି, ଭାରତର ବୃହତ୍ତମ ତଥା ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶ(ୟୁପି)ରେ ମୋଟ ୮୦ଟି ଲୋକ ସଭା ଆସନ ମଧ୍ୟରୁ ଭାଜପା ୩୩ଟିରେ ସୀମିତ ରହିଛି। ସେଠାରେ ସର୍ବବୃହତ ଦଳ ଭାବେ ସମାଜବାଦୀ ପାର୍ଟି ୩୭ ଆସନ ପାଇଥିବାବେଳେ କଂଗ୍ରେସ ୬ଟି , ରାଷ୍ଟ୍ରୀୟ ଲୋକ ଦଳ ୨, ଅପନା ଦଳ( ଏସ୍) ୧ ଓ ଆଜାଦ ସମାଜ ପାର୍ଟି ( କାଂଶିରାମ)୧ ଆସନ ହାସଲ କରିଛି। ଏଠାରେ ସୂଚିତ କରାଯାଇପାରେ ଯେ, ୨୦୧୯ ଲୋକ ସଭା ନିର୍ବାଚନରେ ଭାଜପା ୬୨, ବିଏସ୍ପି ୧୦, ସପା ୫, ଅପନା ଦଳ ୨ ଓ କଂଗ୍ରେସ ମାତ୍ର ୧ ଆସନ ଜିତିଥିଲା। ୨୦୧୯ ନିର୍ବାଚନ ଫଳାଫଳ ତୁଳନାରେ ଉତ୍ତରପ୍ରଦେଶରେ ଭାଜପାର ଏଭଳି ବିପର୍ଯ୍ୟୟକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଥିବାବେଳେ ସେଠାକାର ସରକାରଙ୍କ ଏବକାର ଏକ ପଦକ୍ଷେପ ବିଫଳତାର ପ୍ରତିକ୍ରିୟାକୁ ଦର୍ଶାଇଛି। ୟୁପି ସରକାର କାର୍ଯ୍ୟରତ ସରକାରୀ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ସୋସିଆଲ ମିଡିଆ ସମେତ ମୁଖ୍ୟଧାରା ଗଣମାଧ୍ୟମରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖନୀୟ ଯେ, ପୂର୍ବରୁ ଉତ୍ତରପ୍ରଦେଶ ସରକାରୀ ଚାକିରିଆ ଆଚରଣ ନିୟମ ୧୯୫୬ରେ ସରକାରୀ କର୍ମଚାରୀମାନେ ଛାପାଗଣମାଧ୍ୟମ ଓ ରେଡିଓ କାର୍ଯ୍ୟକ୍ରମରେ ଭାଗ ନେଇପାରିବେ ନାହିଁ ବୋଲି ରହିଥିଲା। ବର୍ତ୍ତମାନ ଏହି ନିୟମକୁ ବିସ୍ତାର କରି କଟକଣା ପରିସରରେ ସୋସିଆଲ ମିଡିଆ ଓ ଇଲେକ୍ଟ୍ରୋନିକ ମିଡିଆକୁ ସାମିଲ କରାଯାଇଛି। ଏପରିକି ସରକାରୀ କର୍ମଚାରୀମାନେ କୌଣସି ରେଡିଓ କାର୍ଯ୍ୟକ୍ରମରେ ଭାଗ ନ ନେବା ବିଷୟ ଦୋହରାଯିବା ସହ ଛାପା ଗଣମାଧ୍ୟମରେ ନ ଲେଖିବା ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି କଟକଣା ଜାରି ହେବା ପରେ ସରକାରୀ କର୍ମଚାରୀମାନଙ୍କର ଥିବା କୌଣସି ସଂଗଠନ ତରଫରୁ ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ତେବେ ନିଜର ନାମ ଗୋପନୀୟ ରଖି ଅନେକ କର୍ମଚାରୀ ଉତ୍ତରପ୍ରଦେଶର ବିଭିନ୍ନ ଗଣମାଧ୍ୟମକୁ ସରକାରଙ୍କର ଏହି ନିଷ୍ପତ୍ତି ବିରୋଧରେ ମତ ଦେଇଛନ୍ତି। ଅବଶ୍ୟ ଏଠାରେ ଉଲ୍ଲେଖ କରାଯିବା ଉଚିତ ହେବ ଯେ, ଉତ୍ତରପ୍ରଦେଶ ରାଜ୍ୟ ସରକାରଙ୍କର ଏହି କଟକଣା କେବଳ ମାତ୍ର ରାଜନୈତିକ ମତାମତ ଏବଂ ସରକାରୀ କାର୍ଯ୍ୟକଳାପ ସମ୍ପର୍କିତ ମତ କୌଣସି ଗଣମାଧ୍ୟମରେ ଦିଆଯାଇପାରିବ ନାହିଁ ବୋଲି କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସୀମିତ ଦୁଇଟି ବିଷୟ ବ୍ୟତୀତ ଅନ୍ୟ ବ୍ୟକ୍ତିଗତ, ବୈଜ୍ଞାନିକ, ସାଂସ୍କୃତିକ ଭଳି ବିଷୟ ଉପରେ ରୋକ ଲଗାଯାଇନାହିଁ।
କୌତୂହଳର ବିଷୟ ହେଲା ଉଭୟ କେନ୍ଦ୍ର ଓ ଉତ୍ତରପ୍ରଦେଶରେ ଭାଜପାର ସରକାର ରହିଆସିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କର ୨୦୧୪ ଓ ୨୦୧୯ ଉଭୟ ନିର୍ବାଚନ ପ୍ରସ୍ତୁତିରେ ସୋସିଆଲ ମିଡିଆ ଏବଂ ଇଲେକ୍ଟ୍ରୋନିକ ମିଡିଆର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ବିଶେଷକରି ସୋସିଆଲ ମିଡିଆର ଅଧିକ ବ୍ୟବହାର କରି ଭାଜପା ତାହାର ଲୋକପ୍ରିୟତା ପ୍ରବଳ ମାତ୍ରାରେ ବୃଦ୍ଧି କରିବାରେ ସଫଳ ହୋଇଥିଲା। ଏବେ ଏଭଳି ଏକ ସରକାରୀ ନିର୍ଦ୍ଦେଶ ଦେଖି ମନେ ହେଉଛି ଯେପରି ପରିସ୍ଥିତିର ମୋଡ଼ ଭିନ୍ନ ଦିଗକୁ ଯାଉଛି। ବିଶେଷକରି ସୋସିଆଲ ମିଡିଆର ବ୍ୟବହାର କରୁଥିବା ଭାଜପା ସମର୍ଥକମାନେ ଯଥେଷ୍ଟ ପରିମାଣରେ ନୀରବ ପଡ଼ିଯାଇଥିବା ପରିଲକ୍ଷିତ ହେଉଛି। ସରକାରଙ୍କର ଅନେକ ଦୋଷଦୁର୍ବଳତା ପଦାକୁ ଆସିବା ପରେ ଜନସାଧାରଣଙ୍କ ମନରେ ସମ୍ବିଧାନ ଏବଂ ସ୍ବାଧୀନତା ସମ୍ପର୍କରେ ଚିନ୍ତା ପଶିଲା, ଯାହାଫଳରେ ୨୦୨୪ ନିର୍ବାଚନରେ ମୋଦିଙ୍କ ନେତୃତ୍ୱାଧୀନ ଭାଜପା ଏକାକୀ ୨୭୨ ଆସନ ହାସଲ କରିପାରିଲା ନାହିଁ। ଆଜିର କେନ୍ଦ୍ର ସରକାର ବହୁ ପରିମାଣରେ ଆନ୍ଧ୍ରର ତେଲୁଗୁଦେଶମ ପାର୍ଟି ଏବଂ ବିହାରର ଜେଡି (ଏସ୍)ର ସମର୍ଥନ ଉପରେ ନିର୍ଭରଶୀଳ। ସେଥିପାଇଁ ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର, ଝାଡ଼ଖଣ୍ଡ ଭଳି ଅନ୍ୟ କେତୋଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନରେ ଭାଜପା ବଞ୍ଚିବା ପାଇଁ ଲଢ଼େଇ କରିବ। ସେଭଳି ଲଢ଼େଇରେ ଗଣମାଧ୍ୟମର ବିଶେଷକରି ସୋସିଆଲ ମିଡିଆ, ଖବରକାଗଜ ଏବଂ ଟେଲିିଭିଜନର ଭୂମିକା ଅନେକ ପରିମାଣରେ ଗୁରୁତ୍ୱ ଧାରଣ କରିବ। ହୁଏତ ଏହି ଚିନ୍ତା ଉତ୍ତରପ୍ରଦେଶରେ ଏବେଠାରୁ ଅସୁବିଧା ସୃଷ୍ଟି କଲାଣି। ଶେଷରେ କୁହାଯାଇପାରେ ଯେ, ସରକାରୀ କର୍ମଚାରୀ ମଧ୍ୟ ଦେଶର ନାଗରିକ। ଚାକିରି ବ୍ୟତୀତ ସେମାନଙ୍କର ଗଣତାନ୍ତ୍ରିକ ଚିନ୍ତାଧାରା ରହିଛି। କାରଣ ସରକାରୀ କର୍ମଚାରୀ ହେଉଛନ୍ତି ବ୍ୟବସ୍ଥାର ସର୍ବୋଚ୍ଚରେ। ତାଙ୍କର ମତାମତ ପ୍ରକାଶ କରିବାର ସୁଯୋଗ ଉପରେ ଠିପି ମାରିଦେଲେ ତାହା କେତେଦୂର ପରିସ୍ଥିତିକୁ ସମ୍ଭାଳିବ ଏବେ କହିବା କଷ୍ଟକର।