୨୦ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ, ଚେତାବନୀ ଦେଲା ୬୬୨ କଲେଜ ଅଧ୍ୟାପକ

ବରଗଡ଼,୧୨ା୭(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ୬୬୨ କଲେଜ ଅଧ୍ୟାପକ, କର୍ମଚାରୀ ସଂଘର ଦାବି ସମୂହକୁ ରାଜ୍ୟ ସରକାର ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି କ୍ରମରେ ବୁଧବାର ବରଗଡ଼ ଜିଲା ବେସରକାରୀ ୬୬୨ କଲେଜ ବର୍ଗର ଅଧ୍ୟାପକ, କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ବରଗଡ଼ ଗାନ୍ଧିଛକରୁ ଏକ ବିଶାଳ ଶୋଭାଯାତ୍ରାରେ ସଂଘର କର୍ମକର୍ତ୍ତା ଏବଂ ସଦସ୍ୟମାନେ ଜିଲାପାଳ ଅଫିସକୁ ଆସିଥିଲେ। ବରଗଡ଼ ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋ ସ୍ମାରକପତ୍ର ଗ୍ରହଣ କରିଥିବା ବେଳେ ସେମାନଙ୍କ ଦାବି ସମୂହ ପୂରଣ ନ ହେଲେ ସେମାନେ ଆସନ୍ତା ୨୦ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଅଧ୍ୟାପକ, କର୍ମଚାରୀମାନେ ସ୍ମାରକପତ୍ରରେ ଚେତାବନୀ ଦେଇଛନ୍ତି।

ସୂଚନାନୁଯାୟୀ, ରାଜ୍ୟ ସରକାର ଗତ ଜାନୁୟାରୀ ମାସରୁ ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଅଧ୍ୟାପକ, କର୍ମଚାରୀଙ୍କ ଦରମା ବୃଦ୍ଧି କରିଛନ୍ତି। କିନ୍ତୁ ଏଥିରେ ୬୬୨ ବର୍ଗର ଅଧ୍ୟାପକ, କର୍ମଚାରୀଙ୍କୁ ବାଦ୍‌ ଦିଆଯାଇଛି। ସରକାରଙ୍କ ସେଭଳି ନିଷ୍ପତ୍ତିକୁ ବିରୋଧ କରି ରାଜଧାନୀରେ ଆନ୍ଦୋଳନ ଚାଲିଛି। ଆନ୍ଦୋଳନକୁ ଇତିମଧ୍ୟରେ ୧୫୦ ଦିନ ବିତିଯାଇଥିଲେ ସୁଦ୍ଧା ସରକାର କର୍ଣ୍ଣପାତ କରିନାହାନ୍ତି। ଅନ୍ୟପକ୍ଷରେ ସରକାର ସେହି ନିଷ୍ପତ୍ତିକୁ ପୁନର୍ବିଚାର କରିବା ସହିତ ସମାନ କାମକୁ ସମାନ ଦରମା ପ୍ରଦାନ କରା ନ ଗଲେ ଆସନ୍ତା ୨୭ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ସହିତ ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ହେବ ଏବଂ ସେଥିପାଇଁ ରାଜ୍ୟ ସରକାର ହିଁ ଦାୟୀ ରହିବେ ବୋଲି ଚେତାବନୀ ଦେଇଛି ୬୬୨ କଲେଜ ଅଧ୍ୟାପକ, କର୍ମଚାରୀ ସଂଘ। ସଂଘର ସଭାପତି ଅଶୋକ ବେହେରା, ସୁଶାନ୍ତ ମିଶ୍ର ପ୍ରମୁଖଙ୍କ ନେତୃତ୍ୱରେ ସଂଘର ଶତାଧିକ ସଭ୍ୟ ସ୍ମାରକପତ୍ର ପ୍ରଦାନ ପାଇଁ ଜିଲାପାଳଙ୍କ ଅଫିସକୁ ଆସିଥିଲେ।