ବିଜେଡିରୁ ଇସ୍ତଫା ଦେଲେ ଶ୍ୟାମାପ୍ରସାଦ

ବାଲେଶ୍ୱର, ୨୯।୬ (ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ବସ୍ତା ନିର୍ବାଚନମଣ୍ଡଳୀରେ ପ୍ରତିଶ୍ରୁତି ଅନୁଯାୟୀ ହେଉନି ଉନ୍ନୟନମୂଳକ କାର୍ଯ୍ୟ। ଏହାର ପ୍ରତିବାଦ କରି ବିଜେଡିର ଶ୍ୟାମାପ୍ରସାଦ ବେହେରା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ଷ୍ଟେଶନ କ୍ଲବ ପରିସରରେ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା ଛାଡ଼ି ବସ୍ତା ନିର୍ବାଚନମଣ୍ଡଳୀର ଶ୍ୟାମାପ୍ରସାଦ ବିଜେଡିରେ ଯୋଗ ଦେଇଥିଲେ। ଦଳରେ ସକ୍ରିୟତାର ସହ କାର୍ଯ୍ୟ କରୁଥିବା ବେଳେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଯେଉଁଭଳି ଭାବେ ଦଳକୁ କରାୟତ୍ତ କରିଛନ୍ତି ତାହାକୁ ବିରୋଧ କରି ଶ୍ୟାମାପ୍ରସାଦ ଦଳ ଛାଡିଥିବା କହିଛନ୍ତି। ନିର୍ବାଚିତ ଲୋକ ପ୍ରତିନିଧିଙ୍କ ପରାମର୍ଶରେ ଶାସନ ବ୍ୟବସ୍ଥା ଚାଲିବା ପରିବର୍ତ୍ତେ ଶାସକ ଦଳର ବିଧାୟକ ଓ ମନ୍ତ୍ରୀମାନେ ସଚିବଙ୍କ ଆଗରେ ହାତଯୋଡ଼ି ଛିଡ଼ା ହେବା ବାସ୍ତବିକ ଦୁଃଖଦାୟକ। ଜଣେ ସ୍ବାଭିମାନୀ ଓଡ଼ିଆ ଭାବେ ଏଭଳି କାର୍ଯ୍ୟକଳାପକୁ ସେ ଗ୍ରହଣ କରିପାରୁନାହାନ୍ତି। ଅନ୍ୟପକ୍ଷରେ ଅବହେଳିତ ବସ୍ତା ନିର୍ବାଚନମଣ୍ଡଳୀର ବିକାଶ ନେଇ ସେ ବିଜେଡିରେ ଯୋଗଦେଇଥିବା ବେଳେ ବିଗତ ୪ବର୍ଷ ମଧ୍ୟରେ କୌଣସି ବିକାଶମୂଳକ କାର୍ଯ୍ୟ ହୋଇ ନ ଥିବା ଆରୋପ ଉଠାଇଛନ୍ତି। ଶାସକ ଦଳରେ ଥାଇ ଜନସାଧାରଣଙ୍କ ଜୀବନଧାରଣରେ କୌଣସି ପ୍ରକାର ଉନ୍ନତି ନ ଆସିବା ବିରୋଧରେ ସେ ଦଳରୁ ଇସ୍ତଫା ଦେଉଥିବା କହିଥିଲେ। ତାଙ୍କର ରାଜନୈତିକ ଭବିଷ୍ୟତ ସମ୍ପର୍କରେ ବିଚାରବିମର୍ଶ ପରେ ନିଷ୍ପତ୍ତି ନେବେ ବୋଲି ଶ୍ୟାମାପ୍ରସାଦ ସୂଚନା ଦେଇଥିଲେ।

Share