Categories: ଜାତୀୟ

ଏସ୍‌ଆଇ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲା: ଭାଜପା ନେତା ଗିରଫ

ଗୁଆହାଟୀ, ୧।୧୦: ଆସାମରେ ପୋଲିସ ବିଭାଗ ପକ୍ଷରୁ କରାଯାଇଥିବା ଏସ୍‌ଆଇ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା। ଏଥିରେ ଭାଜପା ନେତା ଦିବାନ ଡେକାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ପ୍ରମାଣିତ ହେବାପରେ ତାଙ୍କୁ ଗିରଫ କରାଯାଇଛି। ଦିବାନ ଫେରାର ହୋଇଯାଇଥିଲେ। ତାଙ୍କୁ ଧରାଇଦେଲେ ଏକ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି ଆସାମ ପୋଲିସ ପକ୍ଷରୁ ଘୋଷଣା କରାଯାଇଥିଲା। ରାଜ୍ୟର ଖାଲିଥିବା ୫୮୭ ଏସ୍‌ଆଇ ପଦବୀ ପାଇଁ ପରୀକ୍ଷା ହେବାର ଥିଲା। ତେବେ ସୋସିଆଲ ମିଡ଼ିଆରେ ଏହାର ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା। ତେଣୁ ସେପ୍ଟମ୍ବର ୨୦ରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ଏହି ମାମଳାରେ ବର୍ତ୍ତମାନ ସୁଦ୍ଧା ଆସାମ ପୋଲିସ ୨୦ ଜଣଙ୍କୁ ଗିରଫ କରିସାରିଛି। ତେବେ ପ୍ରଶ୍ନପତ୍ର ଲିକ୍‌ ଘଟଣାର ମାଷ୍ଟର ମାଇଣ୍ଡ୍‌ ଥିବା ଡେକା ଫେରାର ହୋଇଯାଇଥିଲେ। ପୋଲିସ ବିଭାଗ ପକ୍ଷରୁ ଏନେଇ ତନାଘନା ଆରମ୍ଭ ହୋଇଥିଲା। ସୂଚନାଯୋଗ୍ୟ, ଏସ୍‌ଆଇ ପାଇଁ ରାଜ୍ୟର ୧୫୪ ପରୀକ୍ଷା କେନ୍ଦ୍ରରେ ୬୦ ହଜାରରୁ ଅଧିକ ଚାକିରି ଆଶାୟୀ ପରୀକ୍ଷା ଦେଇଥାନ୍ତେ।

Share