ଜି.ଉଦୟଗିରି,୨୮ା୮(ଡି.ଏନ୍.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ଥାନାର ମହିଳା ସବ୍ ଇନ୍ସପେକ୍ଟର ସ୍ବାଗତିକା ବେହେରା ଶନିବାର ସକାଳୁ ନିଜ ସରକାରୀ କ୍ୱାର୍ଟରରେ ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରିଥିଲେ ବୋଲି ପୋଲିସ କହିଥିଲା। କିନ୍ତୁ ତାଙ୍କ ପରିବାର ଲୋକେ ଶନିବାର ଅପରାହ୍ନରେ ଆସିବା ପରେ ଘଟଣାର ନୂଆମୋଡ଼ ନେଇଛି । ଆଇଆଇସି ରେବତୀ ଶବର ତାଙ୍କୁ ସବୁଦିନ ମାନସିକ ନିର୍ଯାତନା ଦେଇ ଆସୁଥିଲେ ଏପରିକି ତାଙ୍କୁ ହତ୍ୟା କରାଯାଇଥାଇ ପାରେ ବୋଲି ମଧ୍ୟ ସିଏ ସନ୍ଦେହ କରୁଥିବା ସ୍ବାଗତିକାଙ୍କ ମା’ ଉଷାରାଣୀ ବେହେରା ଶନିବାର ବିଳମ୍ବିତ ରାତିରେ ପୋଲିସ ଏସ୍ଡିପିଓ ଡି. ତିରୁପତି ରାଓ ପଟ୍ଟନାୟକଙ୍କୁ ଲିଖିତ ଏତଲା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ସେମାନେ ମୃତଦେହକୁ ନ ନେଇ ଜି.ଉଦୟଗିରି ଥାନା ଆଗରେ ପରିବାର ସଦସ୍ୟମାନେ ଧାରଣାରେ ବସିଛନ୍ତି। ଘଟଣାସ୍ଥଳରେ ଏସ୍ଡିପିଓ ଏବଂ ସ୍ଥାନୀୟ ତହସିଲଦାର ଶୁଭ୍ରଞ୍ଜଳୀ ପ୍ରଧାନ ପହଞ୍ଚି ସେମାନଙ୍କୁ ବୁଝାଶୁଝା କଲେ ମଧ୍ୟ ସେମାନେ ଉପଯୁକ୍ତ ନ୍ୟାୟ ଦାବି କରି ଧାରଣାରେ ବସିଛନ୍ତି। ତାଙ୍କ ମା’ ବିଳମ୍ବିତ ରାତିରେ ଏତଲା ଦେଇଥିବା ଏସ୍ଡିପିଓ ଡି.ତିରୁପତି ରାଓ ପଟ୍ଟନାୟକ କହିଛନ୍ତି।