Categories: ଜାତୀୟ

୩୮ ବର୍ଷ ପରେ ମିଳିଲା ଶହୀଦଙ୍କ କଙ୍କାଳ

ଶ୍ରୀନଗର,୧୪।୮: ୧୯୮୪ରେ ସିଆଚେନରେ ହିମସ୍ଖଳନରେ ପୋତି ହୋଇ ଶହୀଦ ହୋଇଥିବା ଲାନ୍ସନାୟକ ଚନ୍ଦ୍ରଶେଖର ହାର୍ବୋଲାଙ୍କ କଙ୍କାଳ ମିଳିଛି। ୧୬ ହଜାର ଫୁଟ ଗଭୀର ତଳୁ ଚନ୍ଦ୍ର ଶେଖରଙ୍କ କଙ୍କାଳ ଠାବ ହୋଇଥିବା କୁହାଯାଉଛି। କଙ୍କାଳ ସାଙ୍ଗଙ୍କୁ ଯବାନଙ୍କୁ ଦିିଆଯାଉଥିବା ଆର୍ମି ନମ୍ବର ମିଳିବା କାରଣରୁ ଚନ୍ଦ୍ରଶେଖରଙ୍କୁ ଚିହ୍ନିବା ସହଜ ହୋଇଥିଲା। ପାଖାପାଖି ୩୮ ବର୍ଷ ପରେ ଚନ୍ଦ୍ର ଶେଖରଙ୍କ ପରିବାରକୁ ଆଶ୍ୱସ୍ତି ମିଳିଛି। କଙ୍କାଳ ମିଳିବା ପରେ ଚନ୍ଦ୍ର ଶେଖରଙ୍କ ପରିବାର ଭାବବିହ୍ବଳ ହୋଇପଡ଼ିଛନ୍ତି। ଘଟଣା ସମୟରେ ତାଙ୍କ ଦୁଇ ଝିଅ ଖୁବ୍‌ ଛୋଟ ଥିବାବେଳେ ସେ ସମୟରେ ଘଟଣା ସେମାନଙ୍କର ଭଲଭାବେ ମନେ ନ ଥିବା କହିଛନ୍ତି।
ସୂଚନାଯୋଗ୍ୟ, ୧୯୮୪ ମେ ମାସରେ, ବାଟାଲିଅନ ମୁଖ୍ୟ ଲେଫ୍ଟନାଣ୍ଟ୍‌ ପିଏସ୍‌ ପୁନ୍ଦିରଙ୍କ ନେତୃତ୍ୱରେ ୧୯ ଜଣ ଯବାନଙ୍କୁ ଏକ ଟିମ ଅପରେସନ ମେଘଦୁତ ଅଭିମୁଖେ ବାହାରିଥିଲା। ମେ ୨୯ରେ, ହିମସ୍ଖଳନ ଯୋଗୁ ସମସ୍ତେ ପୋତି ହୋଇପଡିଥିଲେ। ପରେ ସେମାନଙ୍କୁ ଶହୀଦ ଘୋଷଣା କରାଯାଇଥିଲା। ସେତେବେଳେ ଲାନ୍ସନାୟକ ଚନ୍ଦ୍ରଶେଖରଙ୍କ ବୟସ ୨୮ ବର୍ଷ ଥିଲା। ଚନ୍ଦ୍ର ଶେଖର ଶହୀଦ ହୋଇଥିଲେ ହେଁ ଘରଲୋକଙ୍କୁ ତାଙ୍କ ମୃତଦେହ ମିଳିପାରି ନ ଥିଲା। ମେଘଦୂତ ଅପରେଶନ୍‌ରେ ଶହୀଦ ହୋଇଥିବା ଅଧିକାଂଶ ଯବାନଙ୍କ ମୃତଦେହ ଏବେ ସୁଦ୍ଧା ସେମାନଙ୍କ ପରିବାରକୁ ମିଳିପାରି ନାହିଁ।

Share