Advertisement

ଦେଶ ସୀମା ଜଗିବେ ଭଉଣୀ ଭାଇ

ବରଗଡ଼ ଅଫିସ,୩୧।୧: ବରଗଡ଼ ଜିଲା ଭେଡ଼େନ ବ୍ଲକ ଅନ୍ତର୍ଗତ ଟିହିକିପାଲି ଗ୍ରାମର ରାତ୍ର ବାରିକଙ୍କ ସାନ ଝିଅ ରଶ୍ମିତା ଓ  ପୁଅ ପ୍ରଭାତ ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌)ରେ ଯୋଗ ଦେବାକୁ ମନୋନିତ ହୋଇଛନ୍ତି। ସଦ୍ୟ ପ୍ରକାଶିତ ପରୀକ୍ଷାଫଳରେ ଉଭୟ ଏହି କୃତିତ୍ୱ ଅର୍ଜନ କରିଛନ୍ତି। ରଶ୍ମିତା ଗାଁ ସ୍କୁଲରେ ପ୍ରାଥମିକ ଶିକ୍ଷାଲାଭ ପରେ କାଦୋବାହାଲ କଲେଜରେ ଯୁକ୍ତ ଦୁଇ ଏବଂ ବିନିକା ସିଦ୍ଧାର୍ଥ କଲେଜରେ ସ୍ନାତକ ଡିଗ୍ରୀ ଶେଷ କରିଛନ୍ତି। ପିଲାବେଳୁ ପୋଲିସରେ ଯୋଗଦେବା ପାଇଁ ଇଚ୍ଛା ରହିଥିଲା। ଏନେଇ ଅଭ୍ୟାସ ଜାରି ରଖି ବିଭିନ୍ନ ପରୀକ୍ଷା ଦେଇଛି। ତେବେ ସେହି ପରୀକ୍ଷାଗୁଡ଼ିକରେ ବିଫଳ ହେଉଥିଲେ ସୁଦ୍ଧା ସଫଳତା ଲକ୍ଷ୍ୟରେ ସବୁବେଳେ ରହିଥିଲି। ସୀମା ସୁରକ୍ଷା ବାହିନୀରେ ଯୋଗଦେବା ପାଇଁ ମୁଁ ଓ ମୋ ଭାଇ ଏକାସାଥୀରେ ମନୋନୀତ ହେବା ପରେ ବହୁତ ଖୁସି ଲାଗୁଛି । ଏଭଳି ସଫଳତା ମିଳିବ ବୋଲି କେବେ ସୁଦ୍ଧା ଭାବି ନ ଥିଲି। ଭଗବାନ ପରିଶ୍ରମର ଫଳ ଦେଲେ। ବର୍ତ୍ତମାନ ସ୍ବପ୍ନ ସାକାର ହେଲା ବୋଲି ଅନୁଭବ କରୁଥିବା ରଶ୍ମିତା କହିଛନ୍ତି। ପ୍ରଭାତ ଗାଁ ସ୍କୁଲରେ ପ୍ରାଥମିକ ଶିକ୍ଷା ଲାଭ କରିଥିଲେ। ପରେ ସେ ତୁରୁମ ହାଇସ୍କୁଲରେ ମାଟ୍ରିକ ପାସ୍‌ କରି ବରଗଡ଼ ପଞ୍ଚାୟତ କଲେଜରେ ଯୁକ୍ତ ଦୁଇ ଓ ସ୍ନାତକ ଡିଗ୍ରୀ ଶେଷ କରିଥିଲେ। ହେଲେ ପରିବାର ଏବଂ ଗାଁ ଲୋକଙ୍କ ଉତ୍ସାହରୁ ଏହି ସଫଳତା ମିଳିଛି । ଏଥିପାଇଁ କେବଳ ଘରେ ଅଭ୍ୟାସ କରୁଥିଲୁ । କେବେ କୌଣସି କୋଚିଂ କିମ୍ବା ବାହାରେ ପ୍ରସ୍ତୁତି କରିନାହୁଁ। ଶେଷରେ ଲକ୍ଷ୍ୟସ୍ଥଳକୁ ଆମେ ପହଞ୍ଚି ପାରିଛୁ । ଦେଶସେବା କରିବାର ସୁଯୋଗ ପାଇଛୁ ବୋଲି କହିଛନ୍ତି ପ୍ରଭାତ ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share