ଛତ୍ରପୁର,୧୬ା୩(ଡି.ଏନ୍.ଏ.): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଚଳିତ ମାସ ୨୨ ଓ ୨୯ ଏବଂ ଆସନ୍ତା ଏପ୍ରିଲ ୫ ଏବଂ ୧୨ ତାରିଖରେ ପାଳିତ ହେବାକୁ ଥିବା ଚୈତ୍ର ପର୍ବ ପାଳନ ପାଇଁ ପ୍ରସ୍ତୁତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଜିଲାପାଳ ଉତ୍ସବ ପାଳନ ଅନୁମତି ଦେବା ସହ ଭକ୍ତଗଣ ବିନା ଦ୍ବିଧାରେ କିଭଳି ମା’ଙ୍କର ଦର୍ଶନ ଲାଭ କରିପାରିବେ ସେନେଇ ସମସ୍ତ ପ୍ରକାର ଆୟୋଜନ କରିବାକୁ ଜଣାଇଥିଲେ। ଚଳିତ ବର୍ଷ ଅଧିକ ଜନ ଗହଳି ହେବା ସମ୍ଭାବନା ରହିଛି । ଏଣୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ। ଭକ୍ତଗଣ ପାହାଚ ଚଢ଼ିବା ରାସ୍ତା, ରୋପ ଓ୍ବେ ରାସ୍ତା ଏବଂ ଘାଟି ରାସ୍ତାରେ ବସ୍ ଯୋଗେ ମନ୍ଦିର ନିକଟକୁ ଯାଇ ମା’ଙ୍କର ଦର୍ଶନ କରିପାରିବେ। ଜିଲାରେ ସମ୍ପ୍ରତି କୋଭିଡ ସଂକ୍ରମଣ ସଂଖ୍ୟା ଦୁଇ ଅଙ୍କରେ ରହୁଥିବା ହେତୁ ମା’ଙ୍କର ଦର୍ଶନ ସମୟରେ ସମସ୍ତେ ମାସ୍କ ବ୍ୟବହାର କରିବାକୁ କୁହାଯାଇଛି। ମନ୍ଦିର ମଧ୍ୟକୁ ବିନା ମାସ୍କରେ ପ୍ରବେଶ କରିବାକୁ ଦିଆଯିବ ନାହିଁ । ମନ୍ଦିର ନିକଟରେ କୌଣସି ପୂଜା ସାମଗ୍ରୀ ବିକ୍ରିବଟା ହେବ ନାହିଁ ।
ମନ୍ଦିର ଉପରକୁ କୌଣସି ଯାନବାହନ ଯିବ ନାହିଁ । ଯାତ୍ରୀଗଣ ନିଜର ଯାନ ବାହାନ ପାର୍କିଂ ସ୍ଥଳରେ ରଖି ପାହାଡ଼ ତଳେ ରଖାଯାଇଥିବା ବସ୍ ସେବା ଦ୍ବାରା ଅସୁସ୍ଥ ଥିବା ବ୍ୟକ୍ତି, ବୟସ୍କ ବ୍ୟକ୍ତି କିମ୍ବା କୋଭିଡ୍ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ମନ୍ଦିର ନ ଆସିବାକୁ ପରାମର୍ଶ ଦିଆଯାଇଛି। ମନ୍ଦିର ଉପରିସ୍ଥ ସ୍ଥାନରେ ଖାଇବା ସମ୍ପୂର୍ଣ୍ଣ ମନା କରାଯାଇଛି। ଚଳିତ ବର୍ଷ ମାନସିକଧାରୀ ମୁଣ୍ଡନ କରିପାରିବେ।