ଅସୁସ୍ଥ, ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ଘରେ ପହଞ୍ଚତ୍ବ ମଧ୍ୟାହ୍ନଭୋଜନ, ପାଠ୍ୟପୁସ୍ତକ

ଭୁବନେଶ୍ୱର, ୩୧।୮(ଅସମାପିକା ସାହୁ)ବିଦ୍ୟାଳୟ ଆସିପାରୁ ନ ଥିବା ୬ରୁ ୧୪ ବର୍ଷର ଅସୁସ୍ଥ ଓ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କୁ ଘରେ ମିଳିବ ମଧ୍ୟାହ୍ନଭୋଜନ। ଏହି ମଧ୍ୟାହ୍ନଭୋଜନ ପାଇଁ ଆବଶ୍ୟକ ଶୁଖିଲା ରାଶନ୍‌ ଛାତ୍ରୀଛାତ୍ରଙ୍କ ଘରକୁ ଯୋଗାଇ ଦିଆଯିବ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଛାତ୍ରୀଛାତ୍ରଙ୍କୁ ଶ୍ରେଣୀ ଅନୁସାରେ ସେମାନଙ୍କ ଘରେ ମଧ୍ୟାହ୍ନଭୋଜନ ଚାଉଳ ଦିଆଯିବା ସହ ରୋଷେଇ ବାବଦ ଅର୍ଥରାଶି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ। ଏହା ବ୍ୟତୀତ ଛାତ୍ରୀଛାତ୍ରଙ୍କ ପାଠ୍ୟପୁସ୍ତକ ମଧ୍ୟ ସେମାନଙ୍କ ଘରେ ପହଞ୍ଚାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥା ମାଧ୍ୟମରେ ରାଜ୍ୟର ୩,୬୯୪ ଛାତ୍ରୀଛାତ୍ର ଉପକୃତ ହେବେ। ଏନେଇ ସମସ୍ତ ଜିଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯିବା ପରେ ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍କୁଲ ଆସିପାରୁ ନ ଥିବା ଛାତ୍ରୀଛାତ୍ରଙ୍କର କୌଣସି ଅସୁବିଧା ହେଲେ ସେମାନେ ନିଜ ଅଞ୍ଚଳରେ ଥିବା ଅଙ୍ଗନଓ୍ବାଡ଼ି କର୍ମୀ, ଆଶାକର୍ମୀ, ଏଏନ୍‌ଏମ୍‌ ବା ଆର୍‌ବିଏସ୍‌କେଙ୍କ ସହାୟତା ନେଇପାରିବେ। ଏହି ଛାତ୍ରୀଛାତ୍ରଙ୍କ ଚିକିତ୍ସା ପାଇଁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ର କିମ୍ବା ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ଓ କାଉନ୍‌ସେଲିଂ ପାଇଁ ନିଆଯିବ। ଏହାସହ ସ୍କୁଲ ଆସିପାରୁ ନ ଥିବା ଏହି ଛାତ୍ରୀଛାତ୍ରଙ୍କ ଘରକୁ ପ୍ରତିମାସରେ ବିଦ୍ୟାଳୟ ଶିକ୍ଷକ, ବ୍ଲକ୍‌ ସହଯୋଗୀ ଅଧିକାରୀ, ଆଇଇଭିମାନେ ତଦାରଖ କରିବା ପାଇଁ ଯିବେ। ସେମାନେ କିଭଳି ପଢୁଛନ୍ତି, ପାଠରେ କେତେ ଉନ୍ନତି କରୁଛନ୍ତି ଆଦି ସମ୍ପର୍କରେ ପଚାରି ବୁଝିବେ। ଛାତ୍ରୀଛାତ୍ରଙ୍କ ଉତ୍ତମ ପ୍ରଦର୍ଶନ ପାଇଁ ଅଭିଭାବକଙ୍କ କାଉନ୍‌ସେଲିଂ ମଧ୍ୟ କରାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share