ଖଟିଆରେ ବୁହାହେଲେ ରୋଗୀ

ବାରିପଦା ଅଫିସ/ କୁଳିଅଣା,୨୬ା୮(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା କୁଳିଅଣା ବ୍ଳକ ମାରାଙ୍ଗତାଣ୍ଡି ପଞ୍ଚାୟତ ଅନ୍ତର୍ଗତ ଜିଆଣି ସାହି(ପଳାଶବଣି) ଗ୍ରାମର ଜଣେ ରୋଗୀଙ୍କୁ ଗ୍ରାମବାସୀ ଖଟିଆରେ ବୋହି ନାଳ ପାରି କରିବା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନେବା ଚର୍ଚ୍ଚାର ବିଷୟ ହୋଇଛି।
ଅନୁଯାୟୀ, ଜିଆଣି ସାହିରେ ୫ଶହ ଲୋକ ବସବାସ କରନ୍ତି। ଏହି ଗ୍ରାମ ଦେଇ ଯାଇଥିବା ଚିପଟ ନାଳ ପୋଲଟି ଗତ ଫାଇଲିନ ସମୟରେ ଭାଙ୍ଗିଯାଇଥିଲା। ବ୍ଲକ ପ୍ରଶାସନ ପକ୍ଷରୁ ଏହାର ଯେନତେନ ମରାମତି ପରେ ଲୋକେ ଯାତାୟାତ କରୁଥିଲେ। ମାତ୍ର କିଛି ଦିନ ପୂର୍ବେ ଲଗାଣ ବର୍ଷା ଯୋଗୁ ନାଳରେ ଥିବା ପୋଲଟି ଭାଙ୍ଗିଯିବା ସହ ରାସ୍ତା ଧୋଇ ଯାଇଛି। ଫଳରେ ଗ୍ରାମବାସୀ ନାଳ ପାଣିରେ ପଶି ଚଳପ୍ରଚଳ କରୁଛନ୍ତି। ଗୁରୁବାର ଗ୍ରାମର ଦିବାଲ ଚପେୟାର(୪୦)ଙ୍କ ଅବସ୍ଥା ଗୁରୁତର ହେବାରୁ ଗ୍ରାମବାସୀ ତାଙ୍କୁ ଏକ ଖଟିଆରେ ବୋହି ନାଳ ପାର କରିବା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ବାରିପଦା ପିଆର୍‌ଏମ୍‌ ମେଡିକାଲକୁ ନେଇଥିଲେ। ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଓ ପୋଲ ନିର୍ମାଣ କରାଯାଉ ନ ଥିବାରୁ ଲୋକେ ଜରୁରୀକାଳୀନ ସେବା ପାଇବାରୁ ବଞ୍ଚତ୍ତ ହେଉଥିବା ଗ୍ରାମର ପୁକୁଲୁ ମାରାଣ୍ଡି, ଦାଶରଥି ସୋରେନ, ହାରି ସୋରେନ, ମଦନ ମୁର୍ମୁ ଓ କାରା ଚାପେୟର କହିଛନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ନୂତନ ପୋଲ ନିର୍ମାଣ କରାଯାଉ ନ ଥିବା ଗୋବିନ୍ଦ ମୁର୍ମୁ ଓ ମାନସ ଚୌଧୁରୀ କହିଛନ୍ତି।

Share