Categories: ଜାତୀୟ

‘ମୋ ସପକ୍ଷରେ ଅଧିକାଂଶ ବିଧାୟକ’, କଂଗ୍ରେସ ମୁଖିଆଙ୍କ ଚିନ୍ତା ବଢାଇଲା ସିଦ୍ଦାରାମାୟାଙ୍କ ବୟାନ

ବେଙ୍ଗାଲୁରୁ,୧୫।୫: କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ପରେ ଏବେ ମୁଖ୍ୟମନ୍ତ୍ରୀ କିଏ ହେବ ତା’ର ଘୋଷଣା ଖୁବଶୀଘ୍ର କରାଯିବ। କିଛି ଦିନ ହେବ ମୁଣ୍ଡ ପିଟି ପିଟି ଏବେ କଂଗ୍ରେସ ନେତୃତ୍ୱ କୌଣସି ଏକ ନିଷ୍ପତ୍ତିରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ଦଳ ଏଥିପାଇଁ ପର୍ଯ୍ୟବେକ୍ଷକଙ୍କୁ ରାଜ୍ୟକୁ ପଠାଇବା ସହ ନବ ନିର୍ବାଚିତ ବିଧାୟକଙ୍କର ରାୟ ବି ନେଇଛି। ଏହାରି ଭିତରେ କିନ୍ତୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ରେସରେ ରହିଛନ୍ତି ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଡିକେ ଶିବକୁମାର ଓ ସିଦ୍ଦାରାମାୟା। ହେଲେ ଏବେ ସିଦ୍ଦାରାମାୟାଙ୍କ ଏକ ବୟାନ ଖୁବ ଚର୍ଚ୍ଚାକୁ ଆସିଛି।

ପର୍ଯ୍ୟବେକ୍ଷକ ସୋମବାର ସେମାନଙ୍କର ରିପୋର୍ଟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ନିକଟରେ ଦାଖଲ କରିବେ। ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣାକୁ ନେଇ ସିଦ୍ଦାରାମାୟା ଓ ବହୁ ବଡ ନେତା ଖାର୍ଗେଙ୍କୁ ଭେଟିବା ପାଇଁ ଦିଲ୍ଲୀ ପହଞ୍ଚିଛନ୍ତି। ହେଲେ ଦିଲ୍ଲୀ ଯିବା ପୂର୍ବରୁ ସିଦ୍ଦାରାମାୟା ଏକ ବଡ ବୟାନ ଦେଇଛନ୍ତି, ଯାହା ଦଳର ହାଇ କମାଣ୍ଡଙ୍କ ଚିନ୍ତାକୁ ବଢାଇ ଦେଇଛି। ସେ କହିଛନ୍ତି ଯେ ପର୍ଯ୍ୟବେକ୍ଷକଙ୍କ ସାମ୍ନାରେ ବିଧାୟକମାନେ ମୋ ନାମ ନେଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ମୋ ସପକ୍ଷରେ ଅଛନ୍ତି। ଏବେ ଏହା ଦେଖିବାକୁ ପଡ଼ିବ ଯେ, ଖାର୍ଗେ ଶିବକୁମାରଙ୍କୁ ବାଛୁଛନ୍ତି ନା ସିଦ୍ଦାରାମାୟାଙ୍କୁ ବାଛୁଛନ୍ତି ।

Share