Categories: ଜାତୀୟ

ସିଦ୍ଦରାମାୟାଙ୍କ ଚାପ ରାଜନୀତି: କର୍ନାଟକରେ ପୁଣି ୩ ଉପମୁଖ୍ୟମନ୍ତ୍ରୀ ପାଇଁ ଦାବି, ଶିବକୁମାରଙ୍କ ସମସ୍ୟା ବଢ଼ିବା ଆଶଙ୍କା…

ବେଙ୍ଗାଲୁରୁ,୧୬।୯ : କର୍ନାଟକର କଂଗ୍ରେସ ସରକାରରେ ଆଉ ତିନି ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ ଦାବି ହେଉଛି। ବାସ୍ତବରେ ସରକାରରେ ସମବାୟ ମନ୍ତ୍ରୀ କେ.ଏନ ରାଜନ୍ନା ଶନିବାର ଆଉ ତିନି ଜଣ ଉପମୁଖ୍ୟମନ୍ତ୍ରୀ କରିବା ପାଇଁ ଧାରଣା ଦେଇଛନ୍ତି। ସେ କହିଛନ୍ତି ମୁଁ ଏହି ପ୍ରସଙ୍ଗରେ ଦଳର ହାଇକମାଣ୍ଡଙ୍କ ସହ କଥା ହେବି।

ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବୀରଶୈବ-ଲିଙ୍ଗାୟତ, ଏସସି / ଏସଟି ଏବଂ ସଂଖ୍ୟାଲଘୁ ବର୍ଗର ଜଣେ ନେତାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବା ଉଚିତ।

ବର୍ତ୍ତମାନ କର୍ନାଟକରେ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟାଙ୍କ ସରକାରରେ ଡି.କେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ଅଛନ୍ତି। ଏହା ବ୍ୟତୀତ ସେ କଂଗ୍ରେସ ରାଜ୍ୟ ସଭାପତି ମଧ୍ୟ ଅଛନ୍ତି। ରାଜନ୍ନା କହିଛନ୍ତି ଲୋକସଭା ନିର୍ବାଚନ ପାଖେଇ ଆସୁଛି। ସମସ୍ତ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି। ଆମେ ଚାହୁଁ କଂଗ୍ରେସ ଯଥାସମ୍ଭବ ଆସନ ଜିତିବ ଏବଂ ଆମେ ଜିତିବୁ ବୋଲି ଆମେ ନିଶ୍ଚିତ। ଏଭଳି ପରିସ୍ଥିତିରେ ଏସସି / ଏସଟି ବର୍ଗର ଜଣେ ନେତାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବା ଆବଶ୍ୟକ।

ବୀରଶୈବ ଲିଙ୍ଗାୟତ ସମ୍ପ୍ରଦାୟ ଦଳରୁ ଦୂରେଇ ଯାଇଛନ୍ତି କିନ୍ତୁ ବିଧାନସଭା ନିର୍ବାଚନର ଫଳାଫଳ ଦର୍ଶାଇଛି ଏହି ବର୍ଗର ସମର୍ଥନ ପୁଣିଥରେ କଂଗ୍ରେସକୁ ପାଇଛି। ରାଜନ୍ନା ନିଜେ ଏସଟି ବର୍ଗରୁ ଆସିଛନ୍ତି। ତେବେ ସେ ଉପମୁଖ୍ୟମନ୍ତ୍ରୀ ହେବେ କି ବୋଲି ପଚରାଯିବାରୁ ରାଜନ୍ନା ମନା କରିଦେଇଥିଲେ ଏବଂ ଏହା କେବଳ ଦଳର ହାଇକମାଣ୍ଡର ନିଷ୍ପତ୍ତିରେ ହେବ ବୋଲି କହିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ପଦବୀ ନେଇ ଦାବି ଛାଡିବା ବଦଳରେ ଡି.କେ ଶିବକୁମାର ପାର୍ଟି ହାଇ କମାଣ୍ଡଙ୍କ ନିକଟରେ ସର୍ତ୍ତ ରଖିଥିଲେ ତାଙ୍କ ବ୍ୟତୀତ ଅନ୍ୟ କୌଣସି ନେତାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବ ନାହିଁ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସରକାରରେ ଉପମୁଖ୍ୟମନ୍ତ୍ରୀଙ୍କ ସଂଖ୍ୟା ବୃଦ୍ଧି ନେଇ ଆଲୋଚନା ପଛରେ ସିଦ୍ଦରାମାୟାଙ୍କ ଚାପ ରାଜନୀତି ମଧ୍ୟ ରହିଥାଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଆଲୋଚନା ହେଉଛି ଅଢ଼େଇ ବର୍ଷ ପରେ ଡି.କେ ଶିବକୁମାର ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଦାବି କରିପାରନ୍ତି। ଏଭଳି ପରିସ୍ଥିତିରେ ଶିବକୁମାରଙ୍କ ପ୍ରଭାବକୁ ହ୍ରାସ କରିବା ପାଇଁ ଦଳ ଭିତରୁ ଆଉ ତିନି ଜଣ ଉପ-ମୁଖ୍ୟମନ୍ତ୍ରୀ ହେବା ପାଇଁ ଦାବି ଉଠିଛି। କଂଗ୍ରେସର ବରିଷ୍ଠ ନେତା ତଥା ଏମଏଲସି ବି.କେ ହରିପ୍ରସାଦ ମଧ୍ୟ ଦଳର ଦଳିତ ନେତା ଜି ପରମେଶ୍ୱରଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ ଦାବି କରିଛନ୍ତି।

 

Share