କେନ୍ଦୁଝର,୧୨।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପୁରୁଣା ସହର ନିକଟ ସିଦ୍ଧମଠଠାରେ ଥିବା ସିଦ୍ଧ ଜଗନ୍ନାଥଙ୍କ ବ୍ୟଞ୍ଜନ ଦାଦଶୀ ପାଳିତ ହୋଇଯାଇଛି। ସିଦ୍ଧ ଜଗନ୍ନାଥଙ୍କୁ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରି ଏକ ଶହରୁ ଉର୍ଦ୍ଧ୍ୱ ପ୍ରକାରର ବ୍ୟଞ୍ଜନ ଲାଗି ହୋଇଥିଲା। ଏହାକୁ ଦେଖିବା ସହ ଭୋଗ ସେବନ କରିବାକୁ ଭକ୍ତଙ୍କ ଭିଡ ଜମି ଥିଲା।
ପ୍ରକାଶ ଯେ,କେନ୍ଦୁଝର ପୁରୁଣା ସହରସ୍ଥିତ ସିଦ୍ଧ ଜଗନ୍ନାଥଙ୍କ ମନ୍ଦିରରେ ୨୦୧୫ ମସିହାରେ ନବକଳେବର ପର ଠାରୁ ବ୍ୟଞ୍ଜନ ଦାଦଶୀ ପାଳନ କରାଯାଉଛି। ଜିଲାର ସର୍ବ ପୁରାତନ ଏହି ମନ୍ଦିରରେ ଏକ ଶହରୁ ଉର୍ଦ୍ଧ୍ୱ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ସିଦ୍ଧ ଜଗନ୍ନାଥଙ୍କୁ ଅର୍ପଣ କରାଯାଇଥାଏ ବୋଲି ମଧୂସୁଦନ ମିଶ୍ର ( ସଭାପତି ପହଣ୍ଡିଆ ସଂଘ ) କହିଛନ୍ତି।
ବିଭିନ୍ନ ପ୍ରକାରର ଖେଚୁଡ଼ି, ଘାଣ୍ଟ, ଶାଗ, ଦହି ଭାତ, ଡାଲି, ତରକାରୀ, ବଡ଼ି ଆଦି ଶୁଦ୍ଧ ଘିଅରେ ପ୍ରସ୍ତୁତ କରାଯାଇଥାଏ। ଏହା ସହ ବିଭିନ୍ନ ପ୍ରକାରର ମିଠା ଯେପରିକି କପୁରକେଳି, ଝିଲି, ଆରିସା, କାକରା, ପିଠା, ରସ ଗୋଲା, ଜିଲାପି, ଛେନାପୋଡ଼, ଆଦି ବହୁ ପ୍ରକାର ଭୋଗ ଲାଗି ହୋଇଥିଲା ବୋଲି ବରିଷ୍ଠ ସେବକ ସଚି ନନା କହିଛନ୍ତି।
ଏହି ଅବସରରେ କେନ୍ଦୁଝର ଜିଲାର ପ୍ରସିଦ୍ଧ ବିଭିନ୍ନ ପ୍ରକାରର ବଡ଼ି ଭଜା ଲାଗି ହୋଇଥିଲା ବୋଲି ଆନନ୍ଦ ଖଣ୍ଡେଇ ( ସିଦ୍ଧ ଜଗନ୍ନାଥ ଙ୍କ ସେବକ ) କହିଛନ୍ତି। ଏହି ଦାଦଶୀ ଦିନ ସିଦ୍ଧ ଜଗନ୍ନାଥଙ୍କୁ ବିଭିନ୍ନ ପ୍ରକାରର ଜଙ୍ଗଲ ଜାତ ଫଳମୂଳ ଯଥା କ୍ଷୀର କୋଳି, ବର କୋଳି, ଭୁରୁଡ଼ୁ କୋଳି ଆଦି ମଧ୍ୟ ଅର୍ପଣ କରାଯାଇଥାଏ। ବହୁ ପ୍ରକାରର ଶାଗ, ଭଜା, ଆଦି ବ୍ୟଞ୍ଜନ ସିଦ୍ଧ ଜଗନ୍ନାଥଙ୍କୁ ଅର୍ପଣ କରିବା ପରେ ଭକ୍ତଙ୍କ ମଧ୍ୟରେ ବଣ୍ଟା ଯାଇଥାଏ। ପ୍ରସାଦ ସେବନ କରିବା ପାଇଁ ଜିଲାର କୋଣ ଅନୁକୋଣରୁ ଭକ୍ତଙ୍କ ଭିଡ଼ ଦେଖାଯାଇଥିଲା।
କିମ୍ବଦନ୍ତୀ ଅନୁସାରେ ମା’ ଯଶୋଦା ହଠାତ ଦିନେ ଦେଖିଲେ ଯେ ତାଙ୍କ ଏକୋଇର ବଳା ବିଶିକେଶନ କାହ୍ନାର ଦେହ ଝଡ଼ିଯାଇଛି। ସେ ଶୁଖି କଳାକାଠ ପଡ଼ି ଯାଇଥିବା ମା’ଙ୍କ ଆଖିକୁ ଦେଖାଗଲେ। ଏତିକିରେ ମା’ ଉଚ୍ଛନ୍ନ ହୋଇଗଲେ। ଭାବିଲେ ନ ଖାଇ ନ ପିଇ ସେ ଏମିତି ହୋଇଗଲାଣି। ସେଠୁ ଯଶୋଦା ନିଜେ ରୋଷେଇ ଘରକୁ ଯାଇ ନାନାଦି ପ୍ରକାରର ପୁଷ୍ଟିକର ତଥା ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି କୃଷ୍ଣଙ୍କୁ ଖୁଆଇଲେ। ଆଜିର ଦିନରେ ଏହି ବ୍ୟଞ୍ଜନ ପ୍ରସ୍ତୁତ କରିଥିବା ବେଳେ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ବିଭିନ୍ନ ମଠ ମନ୍ଦିରରେ ଏହି ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ।


