ନବମ ଶ୍ରେଣୀରେ ଫେଲ ହୋଇଥିଲେ ଏହି ଲୋକପ୍ରିୟ ଅଭିନେତା: ଆଲିଆଙ୍କ ପରେ ଏବେ କିଆରାଙ୍କ ପ୍ରେମରେ ହେଉଛନ୍ତି ଉବୁଟୁବୁ

ବମ୍ବେ: କରନ୍‌ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର’ରୁ ଡେବ୍ୟୁ କରିଥିବା ସିର୍ଦ୍ଧାର୍ଥ ମଲହୋତ୍ରା ଏବେ ଆଗଧାଡ଼ିର ନାୟକଙ୍କ ମଧ୍ୟରୁ ଜଣେ। ନିଜର ଲୁକ୍‌ ସହ ଅଭିନୟକୁ ନେଇ ମହିଳା ପ୍ରଶଂସକଙ୍କ ହୃଦୟ ଜିଣନ୍ତି ସେ। ଆଜି ସେ ନିଜର ଜନ୍ମଦିନ ପାଳନ କରୁଛନ୍ତି। ଏଥିନେଇ ପ୍ରଶଂସକଙ୍କଠାରୁ ଆରମ୍ଭ କରି ସହକଳାକାରମାନେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି

ଜଣେ ମଡେଲରୁ ସଫଳ ଅଭିନେତା ପାଲଟିଥିବା ସିର୍ଦ୍ଧାର୍ଥ ପାଠପଢ଼ାରେ ସେତେଟା ଭଲ ନ ଥିଲେ। ନବମ ଶ୍ରେଣୀରେ ସେ ଫେଲ୍‌ ମଧ୍ୟ ହୋଇଥିଲେ। ଏହାକୁ ନେଇ ପରିବାରଲୋକେ ଚିନ୍ତାରେ ରହୁଥିଲେ। ଏପରିକି ତାଙ୍କୁ ମା’ଙ୍କଠାରୁ ମାଡ଼ ଖାଇବାକୁ ପଡ଼ୁଥିଲା।

ମଧ୍ୟବିତ୍ତ ପରିବାରରେ ସିଦ୍ଧାର୍ଥଙ୍କ ଜନ୍ମ। ଏଣୁ ସେ ଭଲ ପାଠପଢ଼ି ବଡ଼ ମଣିଷ ହୁଅନ୍ତୁ ବୋଲି ମାତାପିତା ଚାହୁଁଥିଲେ। ଧିରେ ଧିରେ ସେ ପାଠ ପଢ଼ା ପ୍ରତି ଦୃଷ୍ଟି ଦେବା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଭଗତ ସିଂହ କଲେଜରୁ ପାଠପଢ଼ା ସାରିଥିଲେ। ପରେ ସେ ମଡେଲ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ଏକ ସମୟରେ ପ୍ରିୟଙ୍କା ଚୋପ୍ରାଙ୍କ ଫିଲ୍ମ ‘ଫ୍ୟାଶନ୍‌’ରେ କାମ କରିବାକୁ କୁହାଯାଇଥିଲା। ହେଲେ ସେ ୨୦୧୨ରେ କରନ୍‌ଙ୍କ ଫିଲ୍ମରୁ ଡେବ୍ୟୁ କରିଥିଲେ। ଆଗାମୀ ଦିନରେ ତାଙ୍କର ଫିଲ୍ମ ‘ଶେରଶାହ’ ରିଲିଜ ହେବାକୁ ଯାଉଛି।

ବ୍ୟକ୍ତିଗତ ଜୀବନ ବିଷୟରେ କଥାହେଲେ ଡେବ୍ୟୁ ଫିଲ୍ମରୁ ଆଲିଆଙ୍କ ପ୍ରେମରେ ପଡ଼ିଥିଲେ ସେ। ଦୀର୍ଘ ଦିନ ଯାଏ ସମ୍ପର୍କ ଠିକ୍‌ଠାକ୍‌ ଚାଲିଥିଲେ ହେଁ ରଣବିରଙ୍କ ଯୋଗୁ ଏଥିରେ ଭଟ୍ଟା ପଡ଼ିଥିଲା। ଆଉ ଏବେ ସିର୍ଦ୍ଧାର୍ଥ କିଆରା ଆଡଭାଣୀଙ୍କୁ ଡେଟ୍‌ କରୁଛନ୍ତି। ନିକଟରେ ଉଭୟ ଛୁଟି କଟାଇ ଫେରିଛନ୍ତି। ଏଣୁ ସେ କିଆରାଙ୍କ ପ୍ରେମରେ ଉବୁଟୁବୁ ହେଉଥିବା ଚର୍ଚ୍ଚା ହେଉଛି।

Share