ମୁମ୍ବାଇ, ୨୮।୫: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡ଼ିତ ନିଶା କାରବାର ମାମଲାରେ ତାଙ୍କ ଫ୍ଲାଟ୍ମେଟ ସିଦ୍ଧାର୍ଥ ପିଠାନିଙ୍କୁ ଶୁକ୍ରବାର ଗିରଫ କରିଛି ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି)। ତାଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇଥିବା କୁହାଯାଇଛି। ଗତ ବର୍ଷ ଜୁନ ୧୪ ତାରିଖରେ ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ବେଳେ ଉପସ୍ଥିତ ଥିବା ୪ ଜଣଙ୍କ ମଧ୍ୟରୁ ସିଦ୍ଧାର୍ଥ ଅନ୍ୟତମ। ବଲିଉଡ୍ ଆକ୍ଟରଙ୍କ ମୃତ୍ୟୁ ମାମଲାରେ ସିଦ୍ଧାର୍ଥଙ୍କୁ ବାରମ୍ବାର ପଚରାଉଚୁରା କରିଥିଲା ମୁମ୍ବାଇ ପୋଲିସ ଓ ସିବିଆଇ।
ସିଦ୍ଧାର୍ଥ ପିଠାନି କିଏ
ନିଜକୁ ଅଭିନେତା ଓ ଫିଲ୍ମ ନିର୍ମାତା ବୋଲାଉଥିବା ସିଦ୍ଧାର୍ଥ ୨୦୧୯ ଅପ୍ରିଲରୁ ୨୦୨୦ ଜୁନ ପର୍ଯ୍ୟନ୍ତ ସୁଶାନ୍ତଙ୍କ ଫ୍ଲାଟରେ ରହୁଥିଲେ। ସ୍ବର୍ଗତ ଅଭିନେତାଙ୍କ କ୍ରିଏଟିଭ ମ୍ୟାନେଜର ଭାବେ ମଧ୍ୟ କାର୍ଯ୍ୟ କରିଥିବା କୁହନ୍ତି। କିଛି ସାକ୍ଷାତ୍କାରରେ ସେ ଅଭିନେତାଙ୍କ ଅନ୍ତିମ ମୂହୁର୍ତ୍ତ ସମ୍ପର୍କରେ ପ୍ରକାଶ କରିବା ସହ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ଉପରେ ଦୋଷ ଲଦିଥିଲେ। ଏହାପରେ ରିଆଙ୍କ ପଛରେ ପଡ଼ି ଯାଇଥିଲେ ଦେଶର ପ୍ରାୟ ଗଣମାଧ୍ୟମ ସଂସ୍ଥା।
ସୁଶାନ୍ତଙ୍କୁ ଡିପ୍ରେଶନ ମେଡିସିନ ପ୍ରେସକ୍ରାଇବ କରାଯାଇଥିଲା, ଯାହାକୁ ସେ ମୃତ୍ୟୁ ପୂର୍ବରୁ ନେବା ବନ୍ଦ କରି ଦେଇଥିଲେ। ଏ ସମ୍ପର୍କରେ ତାଙ୍କ ଫ୍ଲାଟମେଟ୍ ସିଦ୍ଧାର୍ଥ ଅବଗତ ଥିବା ନେଇ ମୁମ୍ବାଇ ପୋଲିସ ପକ୍ଷରୁ କୁହାଯାଇଥିଲା।