ମୁମ୍ବାଇ,୨୩।୮-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସିବିଆଇ ସୁଶାନ୍ତଙ୍କ ସାଙ୍ଗ ସିଦ୍ଧାର୍ଥ ପିଠାନୀ ଓ ଅନ୍ୟ ମାନଙ୍କୁ ଜେରା କରୁଥିବାବେଳେ ସୁଶାନ୍ତଙ୍କ ସମ୍ପର୍କୀୟ ଭାଇ ତଥା ଭାଜପା ବିଧାୟକ ନିରଜ କୁମାର ସିଂହ ବବୁଲୁ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି।
ବବଲୁ କହିଛନ୍ତି, ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ସମୟରେ ତାଙ୍କ ସାଙ୍ଗ ତଥା ଫ୍ଲାଟମେଟ ସିଦ୍ଧାର୍ଥଙ୍କ ମୁହଁରେ କୌଣସି ପ୍ରକାରର ଦୁଃଖଭାବ ନ ଥିଲା। ତାଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ ଲାଗୁଛି ବୋଲି ସେ କହିଛନ୍ତି। ସେହିପରି ନିରଜ ସୁଶାନ୍ତଙ୍କ ଅନ୍ୟ ଜଣେ ସାଙ୍ଗ ସନ୍ଦୀପଙ୍କ ଉପରେ ବର୍ଷିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁର ୧୦ ଦିନ ପରେ ସନ୍ଦୀପ ଜଣେ ଗ୍ୟାଙ୍ଗଷ୍ଟାର ଭଳି କାର୍ଯ୍ୟ କରୁଥିବା ନିରଜ କହିଛନ୍ତି। ସିବିଆଇ ଉପରେ ମୋର ବିଶ୍ୱାସ ଅଛି। ସତ୍ୟ ନିଶ୍ଚୟ ସାମ୍ନାକୁ ଆସିବ। ସତ୍ୟକୁ ସାମ୍ନାକୁ ଆଣିବାକୁ ହେଲେ ଥାର୍ଡ ଡିଗ୍ରୀ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।
ପ୍ରକାଶ ଯେ, ଗତ ଜୁନ ୧୪ରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ନିଜ ବାସଭବନରୁ ସୁଶାନ୍ତଙ୍କ ମୃତଦେହ ଉଦ୍ଧାର ହୋଇଥିଲା।