ଫାଇଜର ଟିକାର ପାର୍ଶ୍ୱପ୍ରତିକ୍ରିୟା: ଆଲର୍ଜି ଥିବା ଲୋକେ ନ ନେବାକୁ ସତର୍କ ସୂଚନା ଜାରି

ଲଣ୍ଡନ,୧୦।୧୨: ବ୍ରିଟେନରେ ମଙ୍ଗଳବାରଠାରୁ ଫାଇଜର ଏବଂ ବାୟୋଏନ୍‌ଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ପ୍ରତିଷେଧକ ଟିକା ସାର୍ବଜନୀକ ଭାବେ ଦିଆଯିବା ଆରମ୍ଭ ହୋଇଛି। ତେବେ ଟିକା ନେବା ପରେ ୨ଜଣଙ୍କଠାରେ ଆଲର୍ଜି ସମସ୍ୟା ଦେଖାଦେଇଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଖରାପ ହୋଇଛି। ଏହାକୁ ବ୍ରିଟେନ୍‌ ସରକାର ଗୁରୁତର ଭାବେ ନେଇଛନ୍ତି। ସରକାରଙ୍କ ପକ୍ଷରୁ ଏନେଇ ସତର୍କ ସୂଚନା ଜାରି କରାଯାଇଛି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, କୌଣସି ଔଷଧ ଗ୍ରହଣ କଲେ ଆଲର୍ଜି ଭଳି ସମସ୍ୟା ଦେଖାଦେଉଥିବା ଲୋକେ ଫାଇଜର ଏବଂ ବାୟୋଏନ୍‌ଟେକ୍‌ ନ ନେବା ଉଚିତ। ଏନେଇ ଫାଇଜର ଏବଂ ବାୟୋଏନ୍‌ଟେକ୍‌ ପକ୍ଷରୁ କୁହାଯାଇଛି ଯେ, କ୍ଲିନିକାଲ ଟ୍ରାଏଲ ସମୟରେ ଆଲର୍ଜି ଥିବା କୌଣସି ବ୍ୟକ୍ତିଙ୍କଠାରେ ଟିକା ପ୍ରୟୋଗ କରାଯାଇ ନ ଥିଲା। ତେଣୁ ଏହାର ପାର୍ଶ୍ୱ ପ୍ରତିକ୍ରିୟା ସମ୍ପର୍କରେ ଜଣାପଡ଼ି ନ ଥିଲା। ବିଶେଷଜ୍ଞଙ୍କ ମତରେ ଟିକା ନେଲେ ଯେ ସଭିଙ୍କୁ ଆଲର୍ଜି ହେବ ତାହା ଭୁଲ୍‌ ଧାରଣା। ହୁଏତ ଆଗାମୀ ଦିନରେ ଏଭଳି କେତେକ ସମସ୍ୟା ଘଟିପାରେ। ଆଲର୍ଜି ଏକ ସାମୟିକ ସମସ୍ୟା। ତେବେ ଅଣ୍ଡା ଖାଇଲେ ଆଲର୍ଜି ହେଉଥିବା ଲୋକେ ଟିକା ନ ନେବା ଉଚିତ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି।

Share