ବମ୍ବେ: ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ହଠାତ୍ ମୃତ୍ୟୁକୁ ଗ୍ରହଣ କରିପାରୁନାହାନ୍ତି ପରିବାର, ବନ୍ଧୁ, ପରିଜନ ଏବଂ ପ୍ରଶଂସକ । ଚାରିଆଡେ ଶୋକର ଛାୟା ଖେଳିଯାଇଥିବା ବେଳେ ଅଭିନେତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହି ସମୟରେ ଶେଷ ଦର୍ଶନ ପାଇଁ ମା’, ଭଉଣୀଙ୍କ ସହ ଅନ୍ୟମାନଙ୍କୁ ଦେଖିବାକୁ ମିଳିଥିଲା। ବିଶେଷକରି କଥିତ ପ୍ରେମିକା ଶେହନାଜ ଗିଲଙ୍କ ଅବସ୍ଥା ଦେଖି ସମସ୍ତେ ଭାବୁକ ହୋଇଯାଇଥିଲେ।
ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଆସିବା ପରଠାରୁ ଶେହନାଜ ତାଙ୍କ ପରିବାର ସହ ଥିଲେ। ପରେ ସେ ସାନ ଭାଇଙ୍କ ସହ ଶେଷକୃତ୍ୟ ହେବାକୁ ଥିବା ଶ୍ମଶାନରେ ପହଞ୍ଚିଥିଲେ। ଶେହନାଜଙ୍କ ଆଖିରେ ଲୁହ ଥିବା ବେଳେ ସେ ଘଟଣାକୁ ବିଶ୍ୱାସ କରିପାରୁ ନ ଥିବା ଦେଖାଯାଇପାରୁଥିଲା। ସୁରକ୍ଷାବଳୟ ମଧ୍ୟରେ ତାଙ୍କୁ ଶେଷଦର୍ଶନ ପାଇଁ ନିଆଯାଉଥିବା ବେଳେ ସେ କାନ୍ଦି କାନ୍ଦି ସିଦ୍ଧାର୍ଥଙ୍କୁ ଡାକୁଥିବା ଦେଖାଯାଇଥିଲା।
ସେହିଭଳି ବିଗ୍ବସ୍ରେ ସିଦ୍ଧାର୍ଥଙ୍କ ସହ ଭାଇ ପରି ରହି ଆସିଥିବା ଆସିମ ରିଆଜଙ୍କୁ ମଧ୍ୟ ଭାଙ୍ଗି ପଡ଼ି ଶ୍ମଶାନର ପାହାଚରେ ବସି ପଡ଼ିବା ଦେଖିବାକୁ ମିଳିଛି। ଏହାର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। ବିଗ୍ବସ୍ ଆରମ୍ଭ ଦିନଗୁଡ଼ିକରେ ଶେହନାଜ, ସିଦ୍ଧାର୍ଥ, ଆସିମଙ୍କ ଯୋଡ଼ିକୁ ଦେଖାଯାଇଥିଲା। ଏଥିନେଇ ଏବେ ସିଦ୍ଧାର୍ଥଙ୍କୁ ହରାଇ ଉଭୟ ଭାଙ୍ଗିପଡ଼ିଛନ୍ତି।