ଅନୁଗୋଳ ଅଫିସ,୧୪ା୯: ଅନୁଗୋଳ ଜିଲାରେ ନୂତନ ଜିଲାପାଳ ଭାବେ ୨୦୧୪ ବ୍ୟାଚ୍ର ଆଇଏଏସ୍ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୋମବାର ପୂର୍ବାହ୍ନରେ କାର୍ଯ୍ୟରେ ଯୋଗଦେଇଛନ୍ତି। ଜିଲା କାର୍ଯ୍ୟାଳୟଠାରେ ସେ ପୂର୍ବତନ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଠାରୁ ଦାୟିତ୍ୱ ଗ୍ରହଣ ଅବସରରେ ସରକାରୀ କାର୍ଯ୍ୟରେ ସ୍ବଚ୍ଛତା ଅବଲମ୍ବନ ପାଇଁ ଉପସ୍ଥିତ ପଦାଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ସହ ହିତାଧିକାରୀମାନଙ୍କ ନିକଟରେ ଏହାର ସୁଫଳ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ଅନୁଗୋଳ ଜିଲାରେ କୋଭିଡ୍ ମୁକାବିଲା ସଠିକ୍ ଭାବେ କିପରି କରାଯିବ ସେନେଇ ଉଦ୍ୟମ କରାଯିବ ବୋଲି ନୂତନ ଜିଲାପାଳ କହିଛନ୍ତି। ଜିଲା କାର୍ଯ୍ୟାଳୟଠାରେ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ , ଉପଜିଲାପାଳ ବାସୁଦେବ ଶତପଥୀ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ ସାହୁଙ୍କ ସହ ଅନ୍ୟ ଅଧିକାରୀମାନେ ନୂତନ ଜିଲାପାଳଙ୍କୁ ସ୍ବାଗତ କରିଥିଲେ।