ସରିଲା ସିଦ୍ଧୁଙ୍କ ଅନ୍ତିମ ସଂସ୍କାର: ଲୁହ ଭର୍ତ୍ତି ଆଖିରେ ବାପା କାଢ଼ିଲେ ପଗଡ଼ି

ନୂଆଦିଲ୍ଲୀ,୩୧।୫: ପଞ୍ଚଭୂତରେ ବିଲୀନ ହେଲେ ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସଓ୍ବୋଲା। ମେ ୨୯ରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସୋମବାର ରାତିରେ ତାଙ୍କ ପୋଷ୍ଟମର୍ଟମ କରାଯିବା ପରେ ମଙ୍ଗଳବାର ଅପରାହ୍ନରେ ଅନ୍ତିମ ସଂସ୍କାର କରାଯାଇଛି। ଏହି ସମୟରେ ତାଙ୍କ ପରିବାରଲୋକଙ୍କ ସହ ପ୍ରଶଂସକମାନେ ଭାବବିହ୍ବଳ ନଜର ଆସିଥିଲେ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଗାୟକଙ୍କ ବାପା ନିଜ ପଗଡ଼ି କାଢ଼ି ଭୋ ଭୋ ହୋଇ କାନ୍ଦୁଥିବା ନଜର ଆସୁଛନ୍ତି। ସେହିଭଳି ତାଙ୍କ ମା’ ପଗଡ଼ି ବାନ୍ଧିବାକୁ ଚୁଟି କୁଣ୍ଡାଉଥିବା ଦେଖାଯାଉଛି। ଗୋଟିଏ ପଟେ ସିଦ୍ଧୁଙ୍କ ମୃତ୍ୟୁ ସଂଗୀତ ଜଗତକୁ ସ୍ତବ୍ଧ କରିଦେଇଥିବା ବେଳେ ୨୮ ବର୍ଷୀୟ ପୁଅଙ୍କୁ ହରାଇ ପରିବାରଲୋକେ ବହୁତ ଭାଙ୍ଗି ପଡ଼ିଛନ୍ତି।

ତେବେ ସିଦ୍ଧୁଙ୍କୁ ୩୦ ରାଉଣ୍ଡ ଗୁଳି କରାଯାଇଥିଲା। ବ୍ୟବଚ୍ଛେଦ ପରେ ତାଙ୍କ ଶରୀରରେ ୨୪ ଗୁଳି ବାଜିଥିବା ଜଣାପଡ଼ିଥିଲା। ତାଙ୍କୁ ନିଜର ଟ୍ରାକ୍ଟର ୫୯୧୧ ବହୁତ ପସନ୍ଦ ଥିଲା। ଏଣୁ ତାଙ୍କ ଶେଷଯାତ୍ରା ଟ୍ରାକ୍ଟରରେ ବାହାରିଥିଲା। ଗାଡ଼ିକୁ ଫୁଲରେ ସଜାଯାଇଥିବା ବେଳେ ତାଙ୍କର ବଡ଼ ପୋଷ୍ଟର ଲଗାଯାଇଥିଲା। ଶେଷରେ ପୈତୃକ ଗ୍ରାମ ମୁସାରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପୂର୍ଣ୍ଣ କରାଯାଇଛି।

Share