Categories: ଜାତୀୟ

ପୁଣି ନିଜ ଦଳର ସରକାରଙ୍କୁ ଟାର୍ଗେଟ କଲେ ସିଦ୍ଧୁ

ଜଳନ୍ଧର,୧୦।୮: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ସହ ଦୀର୍ଘ ଦିନର ମନୋମାଳିନ୍ୟ ପରେ ନବଜୋତ ସିଂ ସିଦ୍ଧୁ ଏବେ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଅଛନ୍ତି। ଅଧ୍ୟକ୍ଷ ହେବା ପରଠାରୁ ତାଙ୍କ କାର୍ଯ୍ୟ ଶୈଳୀ ସମ୍ପୂର୍ଣ୍ଣ ଭିନ୍ନ ହୋଇଯାଇଛି ଏବଂ ସେ ଏବେ ସକ୍ରିୟ ମୋଡରେ କାର୍ଯ୍ୟ କରୁଛନ୍ତି। ସିଦ୍ଧୁ ପୁଣି ଥରେ ପଞ୍ଜାବ ସରକାର ଉପରେ ଆକ୍ରମଣ କରିଛନ୍ତି। ଏଥର ସେ ଡ୍ରଗ୍ସ ପ୍ରସଙ୍ଗରେ ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି। ସିଦ୍ଧୁ ଟୁଇଟ କରି କହିଛନ୍ତି ଯେ, ଫେବୃଆରୀ ୨୦୧୮ରେ, ଏଡିଜିପି ହରପ୍ରୀତ ସିଦ୍ଧୁଙ୍କ ନେତୃତ୍ୱରେ ଏସଟିଏଫ, ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଏକ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଥିଲା। ୨୦୧୮ ରେ ଏକ ଖବରଦାତା ସମ୍ମିଳନୀ କରି ମୁଁ କୋର୍ଟରେ ଏସଟିଏଫ ଦ୍ୱାରା ରଖାଯାଇଥିବା ସୂଚନା ଉପରେ ତୁରନ୍ତ ପଦକ୍ଷେପ ନେବାକୁ ସରକାରଙ୍କୁ ନିବେଦନ କରିଥିଲି। ମାନ୍ୟବର ହାଇକୋର୍ଟ ଏସଟିଏଫ ରିପୋର୍ଟ ଉପରେ ଆଇନ ଅନୁଯାୟୀ ପଞ୍ଜାବ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅଢେଇ ବର୍ଷ ବିଳମ୍ବ ପରେ ମଧ୍ୟ ତାହା ସିଲ୍‌ କଭର୍‌ରେ ଅଛି। ପଞ୍ଜାବର ଲୋକମାନେ କେତେ ସମୟ ଅପେକ୍ଷା କରିବେ? ଏହି ଘଟଣାରେ ପଞ୍ଜାବ ସରକାର ଏବଂ ପଞ୍ଜାବ ପୋଲିସ ଦ୍ୱାରା ତଦନ୍ତ କ’ଣ ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ବିଷୟକୁ ସର୍ବସାଧାରଣଙ୍କ ସମ୍ମୁଖରେ ରଖିବା ଉଚିତ୍‌। ରିପୋର୍ଟ ଦାଖଲ କରିବା ପରେ ଅଢେଇ ବର୍ଷ ମଧ୍ୟରେ ସରକାର କ’ଣ ପଦକ୍ଷେପ ନେଇଥିଲେ? ସରକାର ସ୍ବଚ୍ଛତା ବଜାୟ ରଖିବା ଉଚିତ ଏବଂ ଲୋକଙ୍କ ନିକଟରେ ଉତ୍ତରଦାୟୀ ହେବା ଉଚିତ ବୋଲି ସେ କହିଛନ୍ତି।

Share