ଫ୍ଲୋରିଡାର ଜୁଆନ୍ ମତାସ୍ ଓରଫ ଫଙ୍କି ମତାସ୍ ଏବେ ତାଙ୍କ ଟାଟୁକୁ ନେଇ ବେଶ୍ ଚର୍ଚ୍ଚିତ। ଏମିତି ତ ଅନେକ ଲୋକ ଟାଟୁ କରୁଛନ୍ତି। କିନ୍ତୁ ଫଙ୍କି କରିଥିବା ଟାଟୁରେ ଅଛି କିଛି ସ୍ବତନ୍ତ୍ରତା। ସେଥିପାଇଁ ତ ସେ ଗିନିଜ୍ ଓ୍ବାଲର୍ଡ୍ ରେକର୍ଡସ୍ରେ ବି ସ୍ଥାନ ପାଇଛନ୍ତି। ଫଙ୍କି ନିଜ ପିଠିରେ ଲୋକଙ୍କ ସିଗ୍ନେଚରର ସର୍ବାଧିକ ଟାଟୁ କରି ଏହି ରେକର୍ଡ କରିଛନ୍ତି। ଏହି ସିଗ୍ନେଚର ମଧ୍ୟରେ ଓ୍ବିଲ୍ ସ୍ମିଥ୍, ଏଲିଜାହ୍ ଉଡ୍, ମାଇକେଲ୍ ଜେ., କ୍ରିଷ୍ଟୋଫର୍ ଲୟଡ, ଷ୍ଟିଭ୍ ଓ’, ଗେରାର୍ଡ ବଟଲର୍ଙ୍କ ଭଳି ଅନେକ ସେଲିବ୍ରିଟିଙ୍କ ସିଗ୍ନେଚର ସାମିଲ ଅଛି। ଫଙ୍କି ନିଜେ ଜଣେ ଟାଟୁ ଆର୍ଟିଷ୍ଟ। ତେବେ କିଛି ଭିନ୍ନ କରିବାର ଇଚ୍ଛାରେ ସେ ନିଜ ପିଠିରେ ପରିବାର ସଦସ୍ୟ, ପ୍ରିୟ ମଣିଷ, ବିଭିନ୍ନ ଟାଟୁ ଆର୍ଟିଷ୍ଟଙ୍କ ସିଗ୍ନେଚର କରାଇବାକୁ ନିଷ୍ପତ୍ତି ନେଲେ। ଏହାପରେ ସେ ସେଲିବ୍ରିଟିଙ୍କ ପିଛା କରି ସେମାନଙ୍କୁ ତାଙ୍କ ପିଠିରେ ସିଗ୍ନେଚର କରିବାକୁ ନିବେଦନ କଲେ; ଯଦ୍ଦ୍ବାରା ସେହି ସିଗ୍ନେଚର ଉପରେ ସେ ଟାଟୁ କରିପାରିବେ। ଆଉ ସିଗ୍ନେଚରଗୁଡ଼ିକ ତାଙ୍କ ପିଠିରେ ସବୁଦିନ ପାଇଁ ସ୍ଥାୟୀଭାବେ ରହିଯିବ। ବର୍ତ୍ତମାନ ତାଙ୍କ ପିଠିରେ ୨୨୫ ଜଣଙ୍କ ସିଗ୍ନେଚରର ଟାଟୁ ଅଛି।