Categories: ଫୁରସତ

ଶଙ୍ଖର ମହତ୍ତ୍ୱ

ବିଷ୍ଣୁ ପୂରାଣ ଅନୁଯାୟୀ, ଯେହେତୁ ମାତା ଲକ୍ଷ୍ମୀ ହେଉଛନ୍ତି ସମୁଦ୍ରରାଜଙ୍କର କନ୍ୟା, ତେଣୁ ଶଙ୍ଖର ମାହାତ୍ମ୍ୟତା ସହିତ ମହାଲକ୍ଷ୍ମୀଙ୍କର ମଧ୍ୟ ସାମଞ୍ଜସ୍ୟ ରହିଛି। ତେଣୁ କୁହାଯାଏ, ଯେଉଁଠାରେ ଶଙ୍ଖ ରହିଥାଏ ସେଠାରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ବି ଶଙ୍ଖକୁ ପୂଜାସ୍ଥଳୀରେ ରଖିଲେ କିମ୍ବା ଏହାକୁ ନିୟମିତ ବଜାଇଲେ ଶତ୍ରୁ ନାଶ ହେବା ଓ ସୌଭାଗ୍ୟ ପ୍ରାପ୍ତ ହେବା ସହିତ ପିତୃପୁରୁଷ ଶାନ୍ତି ପାଇଥାନ୍ତି ବୋଲି ବିଶ୍ୱାସ କରାଯାଏ। ସେହିପରି ଘରର କୌଣସି ଦିଗରେ ଯଦି କିଛି ବାସ୍ତୁଦୋଷ ରହିଥାଏ, ତା’ହେଲେ ସେହି ସ୍ଥାନରେ ଶଙ୍ଖଟିଏ ରଖିଲେ ବାସ୍ତୁଦୋଷ ଦୂର ହେବା ସହ ଘରେ ସୁଖଶାନ୍ତି ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି। ଶଙ୍ଖ ମଧ୍ୟରେ ଜଳ ଭର୍ତ୍ତି କରି ତାହାକୁ ଘରର ଐଶାନ୍ୟ କୋଣରେ ରଖିଲେ ପରିବାର ଲୋକଙ୍କ ମଧ୍ୟରେ ସମ୍ପର୍କ ଦୃଢିଭୂତ ହୁଏ ବୋଲି ମାନ୍ୟତା ଅଛି। ଅନ୍ୟପକ୍ଷେ, ବୈଜ୍ଞାନିକ ଦୃଷ୍ଟି କୋଣରୁ ମଧ୍ୟ ଶଙ୍ଖର କିଛିଟା ବିଶେଷ ମହତ୍ତ୍ୱ ରହିଛି। ମାନ୍ୟତା ଅଛି କି, ଶଙ୍ଖ ଧ୍ୱନି ବାତାବରଣକୁ ଶୁଦ୍ଧ କରିଥାଏ। କୁହାଯାଏ, ଏହାର ଧ୍ୱନି ଯେତେ ଦୂର ପର୍ଯ୍ୟନ୍ତ ଶୁଭାଯାଏ, ସେତେ ଦୂର ପର୍ଯ୍ୟନ୍ତ ଅଦୃଶ୍ୟ ଭାବେ ରହିଥିବା ସମସ୍ତ ଜୀବାଣୁ ଆପେ ଆପେ ନଷ୍ଟ ହୋଇଯାଇଥାନ୍ତି।

Share