Categories: ବାଣିଜ୍ୟ

ଗୃହଋଣରେ ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୭।୫(ଅନୁରାଧା ମହାରଣା): କ୍ରମାଗତ ଭାବେ ଗୃହଋଣରେ ଉଲ୍ଲେଖନୀୟ ଅଭିବୃଦ୍ଧି ହେଉଛି। ଏପରିକି ଦେଶରେ ଗୃହ ଋଣ ପରିମାଣ ଆଶ୍ଚର୍ଯ୍ୟଜନକ ଭାବେ ବଢ଼ିବାରେ ଲାଗିଛି। ଗତ ୨ ବର୍ଷ ମଧ୍ୟରେ ଗୃହ ଋଣ ପରିମାଣ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ହୋଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ମୋଟ ଋଣ ୨୭.୨୩ ଲକ୍ଷ କୋଟିକୁ ବୃଦ୍ଧି ପାଇଛି। ୨୦୨୪ ମାର୍ଚ୍ଚରେ ବାଣିଜି୍ୟକ ରିୟଲ ଇଷ୍ଟେଟର ଋଣ ୪,୪୮,୧୪୫ କୋଟିରେ ପହଞ୍ଚିଥିବାବେଳେ ୨୦୨୨ ମାର୍ଚ୍ଚରେ ଏହା ମାତ୍ର ୨,୯୭,୨୩୧ କୋଟି ଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ରବିବାର ପ୍ରକାଶିତ ତଥ୍ୟରୁ ଏପରି ସୂଚନା ମିଳିଛି। ଆରବିଆଇ ତଥ୍ୟ ଅନୁଯାୟୀ, କୋଭିଡ ୧୯ ପରେ ଗୃହ କ୍ଷେତ୍ରର ଚାହିଦା ବହୁତ ବୃଦ୍ଧି ପାଇଛି। ଆବାସିକ ସମ୍ପତ୍ତି କ୍ରୟରେ ବହୁତ ବୃଦ୍ଧି ଘଟିଛି। ୨୦୨୪ ମାର୍ଚ୍ଚରେ ଗୃହ ପାଇଁ ବକେୟା ଋଣ ୨୭,୨୨,୭୨୦ କୋଟି ଟଙ୍କା ଥିଲା। ୨୦୨୩ ମାର୍ଚ୍ଚରେ ଏହି ସଂଖ୍ୟା ୧୯,୮୮,୫୩୨ କୋଟି ଏବଂ ୨୦୨୨ ମାର୍ଚ୍ଚରେ ୧୭,୨୬,୬୯୭ କୋଟି ଟଙ୍କା ଥିଲା। ଶିଳ୍ପ ବିଶେଷଜ୍ଞଙ୍କ ଅନୁଯାୟୀ, ଗତ ଆର୍ଥିକ ବର୍ଷରେ ଗୃହ ବିକ୍ରୟ ଏବଂ ମୂଲ୍ୟରେ ଏକ ବଡ଼ ଧରଣର ବୃଦ୍ଧି ଘଟିଛି। କୋଭିଡ ମହାମାରୀ ପରବର୍ତ୍ତୀ ସମୟରେ ସମସ୍ତ ମୂଲ୍ୟର ଘରଗୁଡିକର ଚାହିଦା ବୃଦ୍ଧି ପାଇଛି। ସୁଲଭ ଘରର ଚାହିଦା ବୃଦ୍ଧିରେ ସରକାରୀ ଉଦ୍ୟମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଗୃହ ଋଣର ଏହି ଅଭିବୃଦ୍ଧି ଭବିଷ୍ୟତରେ ମଧ୍ୟ ସୁଦୃଢ଼ ରହିବ ବୋଲି ଆଶା କରାଯାଉଛି। କୋଭିଡ କାରଣରୁ ଅଟକି ରହିଥିବା କ୍ରେତାମାନେ ମଧ୍ୟ ଏହି ସମୟ ମଧ୍ୟରେ ଘର କିଣିଛନ୍ତି। ତେଣୁ ଆଗକୁ ଏହି ଋଣ ପରିମାଣ ୧୫ ରୁ ୨୦ ପ୍ରତିଶତ ହ୍ରାସ ହୋଇପାରେ। ତେବେ ଅର୍ଥନୀତି ବିଶେଷଜ୍ଞଙ୍କ ପ୍ରଥମ ପର୍ଯ୍ୟାୟରେ ସହରଗୁଡିକରେ ୨୦୨୦-୨୧ ଆର୍ଥିକ ବର୍ଷ ପରେ ଘରର ମୂଲ୍ୟ ୫୦ ରୁ ୧୦୦ ପ୍ରତିଶତ ବୃଦ୍ଧି ପାଇଛି। ଏହି କାରଣରୁ ପ୍ରତ୍ୟେକ ଘରର ବିକ୍ରୟ ଉପରେ ଋଣ ମଧ୍ୟ ବୃଦ୍ଧି ପାଇଛି।

Share