ନୂଆଦିଲ୍ଲୀ,୨୮।୧୨: କ୍ରମାଗତ ଭାବେ ଦେଶର ମାସିକ ମୁଣ୍ଡ ପିଛା ଉପଯୋଗ ବ୍ୟୟ (ଏମ୍ପିସିଇ)ର ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ଗତ ୧ ଦଶନ୍ଧି ମଧ୍ୟରେ ଦେଶରେ ଏମ୍ପିସିଇ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି।
ଉଲ୍ଲେଖଯୋଗ୍ୟ, ୨୦୧୧-୧୨ ଆର୍ଥକ ବର୍ଷ ତୁଳନାରେ ହୋଇଥିବା ବୃଦ୍ଧି ଏବଂ ୨୦୨୩-୨୪ ଆର୍ଥକ ବର୍ଷର ବୃଦ୍ଧି ଉନ୍ନତି ପରିଲକ୍ଷିତ ହୋଇଛି। ଏହି ପରିପ୍ରେକ୍ଷୀରେ ଭାରତର ଗ୍ରାମାଞ୍ଚଳରେ ୧୮୮% ଏବଂ ସହରାଞ୍ଚଳରେ ୧୬୬% ବୃଦ୍ଧି ହୋଇଥିବା ପାରିବାରିକ ଉପଭୋକ୍ତା ବ୍ୟୟ ସର୍ବେକ୍ଷଣ ବା ଏଚ୍ସିଇଏସ୍ ୨୦୨୩-୨୪ ରିପୋର୍ଟରୁ ବିସ୍ତୃତ ଭାବେ ସୂଚନା ମିଳିଛି। ବର୍ତ୍ତମାନ ଭାରତର ଗ୍ରାମାଞ୍ଚଳରେ ଏମ୍ପିସିଇ ହାର ୪,୧୨୨ ଟଙ୍କା ଥିବାବେଳେ ସହରାଞ୍ଚଳରେ ୬,୯୯୬ ଟଙ୍କା ରହିଛି। ସେହିପରି ଗତ ୧ଦଶନ୍ଧି ଉପଯୋଗ ବ୍ୟୟ ମଧ୍ୟରେ ହୋଇଥିବା ସୁଧାରକୁ ନେଇ ସକାରାତ୍ମକ ଧାରା ଦେଖିବାକୁ ମିଳିଥିବା ସର୍ବେକ୍ଷଣରେ ଆଲୋକପାତ କରାଯାଇଛି। ଏପରିକି ପାରିବାରିକ ଉପଭୋକ୍ତା ବ୍ୟୟ ସର୍ବେକ୍ଷଣ (ଏଚ୍ସିଇଏସ୍) ପରିବାରଗୁଡ଼ିକ ଦ୍ୱାରା ଦ୍ରବ୍ୟ ଏବଂ ସେବାର ମୁଣ୍ଡ ପିଛା ଉପଯୋଗ ବିଷୟରେ ସୂଚନା ସଂଗ୍ରହ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ଏଚ୍ସିଇଏସ୍ରେ ସଂଗୃହୀତ ସୂଚନା ପରିବାରର ଉପଯୋଗ ଏବଂ ବ୍ୟୟ ଢାଞ୍ଚା, ଜୀବନଧାରଣର ମାନ ଓ କଲ୍ୟାଣ ବୁଝିବାରେ ସହାୟକ ହୋଇଥାଏ। ଗତ ୧ ଦଶନ୍ଧି ମଧ୍ୟରେ ଭାରତର ଆର୍ଥିକ ପରିଦୃଶ୍ୟରେ ଦ୍ରବ୍ୟ ଓ ସେବାର ଉପଯୋଗ କ୍ଷେତ୍ରରେ ରୂପାନ୍ତରଣକାରୀ ପରିବର୍ତ୍ତନ ଦେଖିବାକୁ ମିଳିଛି। ୨୦୧୧-୧୨ ଆର୍ଥିକ ବର୍ଷ ତୁଳନାରେ ୨୦୨୩-୨୪ଆର୍ଥିକ ବର୍ଷର ଏଚ୍ସିଇଏସ୍ରେ ଏହାର ସ୍ପଷ୍ଟଚିତ୍ର ଦେଖିବାକୁ ମିଳିଛି। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବର୍ତ୍ତମାନର ଦରଦାମରେ ଦ୍ରବ୍ୟ ଓ ସେବା ଉପଯୋଗ ବାବଦ ବ୍ୟୟ ୩ଗୁଣ ବୃଦ୍ଧି ପାଇଛି। ଏହି ଉଲ୍ଲେଖନୀୟ ଅଭିବୃଦ୍ଧି ଆର୍ଥିକ ସଶକ୍ତୀକରଣ ଏବଂ ସାରା ଦେଶରେ ଭାରତୀୟ ଉପଭୋକ୍ତାଙ୍କର କ୍ରୟ ଶକ୍ତି ସୁଦୃଢ ହେବାକୁ ଦର୍ଶାଉଛି। କେବଳ ସେତିକି ନୁହେଁ, ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ରହିଥିବା ଏମ୍ପିସିଇ ବ୍ୟବଧାନ ୨୦୧୧-୧୨ ଆର୍ଥିକ ବର୍ଷରେ ୮୪% ଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ୭୦% କୁ ହ୍ରାସ ପାଇଛି। ଏଥିରେ ୧୬% ହ୍ରାସ ଦେଖିବାକୁ ମିଳିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ସହରାଞ୍ଚଳ-ଗ୍ରାମାଞ୍ଚଳ ଏମପିସିଇ ବ୍ୟବଧାନ ୭୧% ଥିଲାବେଳେ ଏହା ଗ୍ରାମାଞ୍ଚଳରେ ଉପଭୋକ୍ତା ଅଭିବୃଦ୍ଧିର ନିରନ୍ତର ପ୍ରଗତିକୁ ପ୍ରତିଫଳିତ କରିଛି।