ସମ୍ବଲପୁର,୨୪ା୯(ବ୍ୟୁରୋ): ଜେରିଆଟ୍ରିକ୍ସ ଓ ଜେରୋଣ୍ଟୋଲୋଜି କ୍ଷେତ୍ରରେ ଗବେଷଣା ଲାଗି ବୁର୍ଲା ଭିମ୍ସାର ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମ୍ୟୁ) ମଧ୍ୟରେ ଏମ୍ଓୟୁ ସ୍ବାକ୍ଷର ହୋଇଛି। ଭିମ୍ସାର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଜିଏମ୍ୟୁ କୁଳପତି ପ୍ରଫେସର ଏନ୍ ନାଗାରାଜୁ ଓ ଭିମ୍ସାର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେରଙ୍କ ଉପସ୍ଥିତିରେ ଜିଏମ୍ୟୁ କୁଳସଚିବ ଯୁଗଳେଶ୍ୱରୀ ଦାଶ ଏବଂ ଭିମ୍ସାର ଅଧ୍ୟକ୍ଷା ଡା. ଜୟଶ୍ରୀ ଦୋରା ଏମ୍ଓୟୁ ସ୍ବାକ୍ଷର କରିଥିଲେ। ଜିଏମ୍ୟୁ ଉପକୁଳସଚିବ ଡ. ଉମାଚରଣ ପତି ଓ ସଂଯୋଜିକା ଡ. ମୋନାଲିସା ମହାପାତ୍ର, ଭିମ୍ସାର କୁଳସଚିବ ଡା. ଭାବଗ୍ରାହୀ ରଥ ଓ ଆନାଟୋମି ବିଭାଗୀୟ ମୁଖ୍ୟ ମମତା ସର ସାକ୍ଷୀଭାବେ ସ୍ବାକ୍ଷର କରିଛନ୍ତି। ସୂଚନା ଯୋଗ୍ୟ ଯେ, ଜିଏମ୍ୟୁ ଜେରିଆଟ୍ରିକ୍ସ ଏବଂ ଜେରୋଣ୍ଟୋଲଜିର ଉତ୍କର୍ଷତା କେନ୍ଦ୍ର ଦେଶର ବୃଦ୍ଧାବୃଦ୍ଧଙ୍କ ଭିନ୍ନ ଦିଗ ଉପରେ କାର୍ଯ୍ୟ କରିଆସୁଛି। ବୃଦ୍ଧାବସ୍ଥାରେ ସ୍ବାସ୍ଥ୍ୟସେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ପଶ୍ଚିମ ଓଡ଼ିଶାରେ ଭିମ୍ସାର ଏହି କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରୁଛି।