ନୂଆଦିଲ୍ଲୀ,୧୬।୧୨: ଦେଶର ରାଜଧାନୀ ଓ ହରିୟାଣା ସିଙ୍ଗୁ ସୀମାରେ ଚାଲିଥିବା ଆନ୍ଦୋଳନସ୍ଥଳରେ ବୁଧବାର ଜଣେ ଶିଖ ଧର୍ମପ୍ରଚାରକ ଆତ୍ମହତ୍ୟା କରିଛନ୍ତି। ଆନ୍ଦୋଳନରତ କୃଷକଙ୍କୁ ନ୍ୟାୟ ମିଳୁ ନଥିବାରୁ ଦୁଃଖରେ ଭାଙ୍ଗିପଡ଼ି ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ସନ୍ଥ ବାବା ରାମ ସିଂ। ଆତ୍ମହତ୍ୟା ପୂର୍ବରୁ ସେ ସୁଇସାଇଡ୍ ନୋଟ ମଧ୍ୟ ଲେଖିଥିଲେ। ସେଥିରେ ଉଲ୍ଲେଖ କରିଛନ୍ତି, କୃଷି ଆଇନର ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ସମର୍ଥନ କରୁଛି। ଚାଷୀଙ୍କ ଦୁଃଖ ଏବଂ ସରକାରଙ୍କ ଅତ୍ୟାଚାରରେ ମର୍ମାହତ ହୋଇ ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଇଛି।
ସେ ଥିଲେ ପଞ୍ଜାବରେ ଜଣେ ଜଣାଶୁଣା ଶିଖ ଧର୍ମପ୍ରଚାରକ। ହରିୟାଣା ଶିରୋମଣି ଗୁରୁଦ୍ବାରା ପ୍ରବନ୍ଧକ କମିଟି ସମେତ ଅନେକ ଶିଖ ସଂଗଠନରେ ବିଭିନ୍ନ ପଦବିରେ ଥିଲେ ରାମ ସିଂ। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ୬୫ ବର୍ଷୀୟ ଏହି ଶିଖ ପୁରୋହିତ ଏକ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି।