Categories: ଜାତୀୟ

ଶିଖ ଗୁରୁଦ୍ୱାରା ବିଲ୍‌ ୨୦୨୩ ସର୍ବସମ୍ମତି କ୍ରମେ ପାରିତ…

ଚଣ୍ଡିଗଡ଼,୨୦।୬ : ଶିଖ ଗୁରୁଦ୍ୱାରା (ସଂଶୋଧନ) ବିଲ ୨୦୨୩ ପଞ୍ଜାବ ବିଧାନସଭାରେ ସର୍ବସମ୍ମତିରେ ପାରିତ ହୋଇଛି। ତେବେ ଅକାଳୀ ଦଳର ସଦସ୍ୟମାନେ ଏହାକୁ ବିରୋଧ କରିଥିଲେ। ଏଥି ସହିତ ଆରଡିଏଫର ବକେୟା ଦେୟ ନ ଦେଇଥିବା କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ସଂକଳ୍ପ ପାରିତ ହୋଇଛି। ଆସନ୍ତା ସପ୍ତାହ ସୁଦ୍ଧା ଯଦି ବକେୟା ପରିଶୋଧ ନ ହୁଏ ତେବେ ଜୁଲାଇ ୧ ତାରିଖରୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ ଚେତାବନୀ ଦେଇଛନ୍ତି।

ଏହା ଅନ୍ତର୍ଗତ ପଞ୍ଜାବ ସରକାର ଶିଖ ଗୁରୁଦ୍ୱାରା ଅଧିନିୟମ ୧୯୨୫ ରେ ଏକ ନୂତନ ଧାରା ଯୋଡିଛନ୍ତି। ଏହା ଅନୁସାରେ ଶ୍ରୀ ହରମିନ୍ଦର ସାହିବରୁ ଗୁରୁବାଣୀର ପ୍ରସାରଣ ସମସ୍ତଙ୍କ ପାଇଁ ମାଗଣା ହେବ।

ସ୍ବାଧୀନ ବିଧାୟକ ନାଚତର ପାଲ ଏହି ବିଲକୁ ବିରୋଧ କରିଛନ୍ତି। ଶିରୋମଣୀ ଗୁରୁଦ୍ୱାରା ପ୍ରବନ୍ଧକ କମିଟି ସହିତ ଆଲୋଚନା ଏବଂ ନିଷ୍ପତ୍ତି ନେବାକୁ ସେ କହିଛନ୍ତି। ଗୁରୁବାଣୀର ପ୍ରସାରଣ ମାଗଣା ହେବା ଉଚିତ, ତେଣୁ ଏକାଠି ବସି ଏକ ନିଷ୍ପତ୍ତି ନିଆଯିବା ଉଚିତ। ଅନ୍ୟପକ୍ଷରେ ଶିରୋମଣୀ ଅକାଳୀ ଦଳରର ସୁଖବିନ୍ଦର ସୁଖୀ କହିଛନ୍ତି ବିଲ ଆଣିବାର କୌଣସି ଆବଶ୍ୟକତା ନାହିଁ। ଶିରୋମଣୀ ଗୁରୁଦ୍ୱାରା ପ୍ରବନ୍ଧକ କମିଟି ସଠିକ କାର୍ଯ୍ୟ କରୁଛି ।

ଏହା ଉପରେ ଅଜିତ ପାଲ ସିଂ କହିଛନ୍ତି ଗୁରୁବାଣୀ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିବା ଉଚିତ। ସରକାରଙ୍କ ଏହି ପଦକ୍ଷେପକୁ ନେଇ ଶିରୋମଣୀ ଗୁରୁଦ୍ୱାରା ପ୍ରବନ୍ଧକ କମିଟିର ସଦସ୍ୟମାନେ ମଧ୍ୟ ଖୁସି ଅଛନ୍ତି। କଂଗ୍ରେସ ଏହାକୁ ବିରୋଧ କରି ଗୃହତ୍ୟାଗ କରିଥିଲେ।

Share