Categories: ଜାତୀୟ

ଜମ୍ମୁ-କଶ୍ମୀରରେ ଶିଖ୍‌-କ୍ଷତ୍ରୀୟ-ମହାଜନ କିଣିପାରିବେ ଚାଷ ଜମି, ସୂଚନା ଦେଲେ ଉପରାଜ୍ୟପାଳ…

ଶ୍ରୀନଗର,୨୦।୧୦: ଜମ୍ମୁ-କଶ୍ମୀରରେ ଚାଷ ଜମି କିଣବା ନେଇ ଉପରାଜ୍ୟପାଳ ମନୋଜ ସିହ୍ନା ନୂଆ ସୂଚନା ଦେଇଛନ୍ତି। ଏବେ ଏଠାରେ ଶିଖ୍‌, କ୍ଷତ୍ରୀୟ ଏବଂ ମହାଜନଙ୍କୁ ଜମି କିଣିବାର ଅଧିକାର ମିଳିଛି। ଅନୁଷ୍ଠିତ ହୋଇଥିବା ରାଜ୍ୟ ପ୍ରଶାସନିକ ପରିଷଦ ବୈଠକରେ ଏସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ନିଷ୍ପତ୍ତି ଅନୁସାରେ ଏଣିକି ଜମ୍ମୁ-କଶ୍ମୀରେ ଶିଖ୍‌, କ୍ଷତ୍ରୀୟ ଏବଂ ମହାଜନ ଚାଷ ଜମି କିଣାବିକା କରିପାରିବେ। ତେବେ ଏକ୍ଷେତ୍ରରେ ଜିଲାପାଳଙ୍କ ମଞ୍ଜୁରୀ ନେବାକୁ ପଡ଼ିବ।

ଏନେଇ ଦୀର୍ଘଦିନ ଧରି ଶିଖ୍‌, କ୍ଷତ୍ରୀୟ ଏବଂ ମହାଜନଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲା। ଏହାଦ୍ୱାରା କୃଷି କ୍ଷେତ୍ରରେ ନିବେଶ କରାଯିବା ସହିତ ଅନ୍ୟ ସହଯୋଗୀ ବ୍ୟବସାୟିକ କାର୍ଯ୍ୟରେ ବିକାଶ ଘଟିବାର ଆଶା ରହିଛି। ସେହିପରି ରାଜ୍ୟର ଆର୍ଥିକ ବିକାଶ ମଧ୍ୟ ତ୍ୱରାନ୍ବିତ ହୋଇ ପାରିବ।

ସୂଚନାଯୋଗ୍ୟ, ଅନୁଚ୍ଛେଦ ୩୭୦ ଏବଂ ୩୫-ଏ ଉଚ୍ଛେଦ ହେବା ସହିତ ଜମ୍ମୁ-କଶ୍ମୀରରେ ଜମି କିଣିବା ପାଇଁ ନୂଆ ଆଇନ ପ୍ରଣୟନ କରାଯାଇଥିଲା। ଚାଷୀଙ୍କ ହାତରେ ଚାଷ ଜମି ରଖିବା ଲାଗି ୨୦୨୦ ଅକ୍ଟୋବର ୨୬ରେ ପ୍ରଣୟନ ହୋଇଥିବା ଆଇନରେ କୁହାଯାଇଥିଲା ଯେ, କେବଳ କୃଷକ ହିଁ ଚାଷ ଜମି କିଣି ପାରିବେ। ରାଜସ୍ବ ବିଭାଗ ଅଧିକାରୀ ଏହା ନିଶ୍ଚିତ କରିଥିଲେ ଯେ, ଶିଖ୍‌, କ୍ଷତ୍ରୀୟ ଏବଂ ମହାଜନ ଜମି କିଣି ପାରିବେ ନାହିଁ। କାରଣ ସେମାନଙ୍କର ପୂର୍ବଜ ଚାଷ କରୁ ନ ଥିଲେ।

ମାତ୍ର ଏବେ ନୂଆ ଆଇନ ଅନୁସାରେ ଶିଖ୍‌, କ୍ଷତ୍ରୀୟ ଏବଂ ମହାଜନଙ୍କୁ ଜମି କିଣିବାର ଅଧିକାର ମିଳିବ।

Share