Categories: ଜାତୀୟ

ୟୁସିସି ନେଇ ଦୁଇ ଭାଗ ଶିଖ୍‌ ସମାଜ…

ନୂଆଦିଲ୍ଲୀ,୮।୭ : ୟୁନିଫର୍ମ ସିଭିଲ କୋଡ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦgଙ୍କ ବିବୃତ୍ତି ପରଠାରୁ ସାରା ଦେଶରେ ଏହି ପ୍ରସଙ୍ଗରେ ଚର୍ଚ୍ଚା ଜୋର ଧରିଛି। ରାଜନୈତିକ ଦଳ ସହିତ ଧାର୍ମିକ ସଂଗଠନ ମଧ୍ୟ ଏହି ପ୍ରସଙ୍ଗରେ କ୍ରମାଗତ ଭାବରେ ନିଜର ମତାମତ ଦେଉଛନ୍ତି। ତେବେ ଶିଖ୍‌ ସମାଜ ୟୁସିସି ନେଇ ଦୁଇ ଭାଗରେ ବିଭକ୍ତ ହୋଇଥିବା ପରି ମନେହେଉଛି ବୋଲି ଚର୍ଚ୍ଚା ହେଉଛି। ବାସ୍ତବରେ ଶିଖ ସମ୍ପ୍ରଦାୟର ବୃହତ୍ତମ ସଂଗଠନ ଭାବେ ବିବେଚନା କରାଯାଉଥିବା ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି ୟୁସିସିକୁ ବିରୋଧ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟିର ବୈଠକରେ ଡ୍ରାଫ୍ଟ ପ୍ରକାଶ ନ ହେବା ପର୍ଯ୍ୟନ୍ତ ୟୁସିସିକୁ ବିରୋଧ ନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି ଅମୃତସରରେ ଏକ ସଭାର ଆୟୋଜନ କରିଥିଲା ଯେଉଁଥିରେ ସମାଜର ବୁଦ୍ଧିଜୀବୀମାନେ ଅଂଶଗ୍ରହଣ କରିଥିଲେ। ବୈଠକ ପରେ ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି ୟୁସିସିକୁ ବିରୋଧ କରିବାକୁ ନିଷ୍ପତ୍ତି ନେଇଥିଲା। ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟିର ସଭାପତି ହରିନ୍ଦର ସିଂ ଧାମି କହିଛନ୍ତି ଦେଶରେ ୟୁନିଫର୍ମ ସିଭିଲ କୋଡର କୌଣସି ଆବଶ୍ୟକତା ନାହିଁ, ଆମେ ଏହାକୁ ଦୃଢ଼ ବିରୋଧ କରୁଛୁ।
ସମ୍ବିଧାନ ମଧ୍ୟ ବିବିଧତା ମଧ୍ୟରେ ଏକତାର ସିଦ୍ଧାନ୍ତକୁ ସ୍ବୀକୃତି ଦେଇଥାଏ। ଶିଖ ସମାଜର ସମ୍ମାନ କୌଣସି ଆଇନ ଆଧାରରେ ପରୀକ୍ଷା କରାଯାଇପାରିବ ନାହିଁ।
ଏହାପୂର୍ବରୁ ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟି ଦିଲ୍ଲୀରେ ଏକ ବୈଠକ କରିଥିଲା। ବୈଠକ ପରେ କମିଟିର ଅଧ୍ୟକ୍ଷ ହରମିତ ସିଂ କାଲ୍କା କହିଥିଲେ ୟୁସିସିର ଡ୍ରାଫ୍ଟ ଆମ ସାମ୍ନାକୁ ନ ଆସିବା ପର୍ଯ୍ୟନ୍ତ ଆମେ ଏହାକୁ ବିରୋଧ କରିବୁ ନାହିଁ।

ଏହା ସହିତ କାଲ୍କା ୟୁସିସି ବିଷୟରେ ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟିକୁ ପ୍ରଶ୍ନ କରିଥିଲେ। କାଲ୍କା କହିଥିଲେ ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି ୟୁସିସିକୁ ବିରୋଧ କରିଛି, କିନ୍ତୁ ସେମାନେ କ’ଣ ପାଇଁ ବିରୋଧ କରୁଛନ୍ତି ତାହା କହିବା ଉଚିତ? ଡ୍ରାଫ୍ଟ ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି ପାଖରେ ପହଞ୍ଚିଛି କି?

Share