ଆମେରିକାରେ ଭାରତୀୟ ଶିଖ୍‌ ମହିଳାଙ୍କ ଆତ୍ମହତ୍ୟା: ମୃତଦେହ ଆଣିବାକୁ ପରିବାର ଲୋକଙ୍କ ନିବେଦନ

ଓ୍ବାଶିଂଟନ୍‌,୧୧।୮: ଆମେରିକାରେ ରହୁଥିବା ଜଣେ ଭାରତୀୟ ଶିଖ୍‌ ମହିଳା ନିର୍ଯାତନା ସହି ନ ପାରି ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତକ ହେଲେ ମନଦୀପ କୌର। ୩୦ ବର୍ଷୀୟା ମନଦୀପଙ୍କ ୨ ଝିଅ ଅଛନ୍ତି। ୨ ଝିଅଙ୍କ ଜନ୍ମକୁ ନେଇ ସ୍ବାମୀ ସବୁବେଳେ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି। ଏଥିରେ ସେ ମାନସିକ ଭାରସାମ୍ୟ ହରାଇ ଅଗଷ୍ଟ ୪ତାରିଖରେ ଆତ୍ମହତ୍ୟା କରିଛନ୍ତି। ମନଦୀପଙ୍କ ପିତା ଉତ୍ତରପ୍ରଦେଶରେ ରହୁଥିବା ବେଳେ ଜ୍ୱାଇଁଙ୍କ ବିରୋଧରେ ସ୍ଥାନୀୟ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏପରିକି ସେ ବର୍ହିବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ଘଟଣାରେ ହସ୍ତକ୍ଷେପ କରି ମନଦୀପଙ୍କ ମୃତଦେହ ଫେରାଇ ଆଣିବାକୁ ନିବଦେନ କରିଛନ୍ତି। ଏଥିସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଅନ୍ୟପକ୍ଷେ ମନଦୀପ ମୃତ୍ୟ ପୂର୍ବରୁ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ଏଥିରେ ସେ ତାଙ୍କୁ ନିର୍ଯାତନା ଦିଆଯାଉଥିବା ସବିଶେଷ ତଥ୍ୟ ଉଲ୍ଲେଖ କରିଛନ୍ତି। ୮ ବର୍ଷ ହେଲାଣି ନିର୍ଯାତନା ସହୁଛି। ହେଲେ ଏହା ଦିନିକୁ ଦିନ ଅସହ୍ୟ ହୋଇପଡିଛି। ସ୍ବାମୀ ଓ ଶାଶୁ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ସେ ଏହି ଭିଡିଓରେ ଅଭିଯୋଗ କରିଛନ୍ତି। ଏପରି କି ବାପା, ମୋତେ କ୍ଷମା କରି ଦେବ ବୋଲି ସେ ଉକ୍ତ ଭିଡିଓରେ କହିଛନ୍ତି। ସୂଚନାଯୋଗ୍ୟ, ମନଦୀପ ୨୦୧୫ରେ ରଣଜୋଧବୀର ସିଂ ସାନ୍ଧୁଙ୍କୁ ବିବାହ କରିଥିଲେ।

Share