Categories: ଖେଳ

ବାଦ୍‌ ପଡ଼ିଲେ ଶିଖା, ପୁନମ୍‌, ତାନିଆ

ନୂଆଦିଲ୍ଲୀ,୨୮ା୪(ପି.ଟି): ଗୁରୁବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ପ୍ରକାଶ ପାଇଛି। ଏହି ତାଲିକାରେ ୧୭ ଜଣ ଖେଳାଳି ସ୍ଥାନ ପାଇଥିବା ବେଳେ ଉଇକେଟ୍‌କିପର ବ୍ୟାଟର ରିଚା ଘୋଷ୍‌ ଓ ଜେମିମା ରୋଡ୍ରିଗୁଏଜ୍‌ଙ୍କୁ ଗ୍ରେଡ୍‌ ବି’କୁ ପଦୋନ୍ନତି ମିଳିଛି। ଅନ୍ୟପକ୍ଷରେ ଭେଟେରାନ୍‌ ଶିଖା ପାଣ୍ଡେଙ୍କୁ ଏହି ତାଲିକାରୁ ବାଦ୍‌ ଦିଆଯାଇଥିବା ବେଳେ ଲେଗ୍‌ ସ୍ପିନର ପୁନମ୍‌ ଯାଦବ ଓ ଉଇକେଟ୍‌କିପର ତାନିଆ ଭାଟିଆ ମଧ୍ୟ ବାଦ୍‌ ପଡ଼ିଛନ୍ତି। ଅକ୍ଟୋବର ୨୦୨୩ରୁ ସେପ୍ଟେମ୍ବର ୨୦୨୪ ଯାଏ ଏହି କଣ୍ଟ୍ରାକ୍ଟ ଲାଗୁହେବ। ସମୁଦାୟ ୧୭ ଖେଳାଳିଙ୍କୁ ୩ଟି ଗ୍ରେଡ୍‌ରେ ବିଭକ୍ତ କରାଯାଇଛି। ଗ୍ରେଡ୍‌ ଏ’ରେ ୩, ଗ୍ରେଡ୍‌ ବି’ରେ ୫ ଓ ଗ୍ରେଡ୍‌ ସି’ରେ ୯ ଖେଳାଳି ସାମିଲ ଅଛନ୍ତି। ସୂଚନା ଯେ, ଗ୍ରେଡ୍‌ ଏ’ରେ ସାମିଲ ଖେଳାଳିଙ୍କୁ ୫୦ ଲକ୍ଷ, ବି’ରେ ୩୦ ଲକ୍ଷ ଓ ଗ୍ରେଡ୍‌ ସି’ରେ ସାମିଲ ଥିବା ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କାର ବାର୍ଷିକ ବେତନ ପ୍ରଦାନ କରାଯାଏ।
ଏ’ ଗ୍ରେଡ୍‌ରେ ମାତ୍ର ୩ ଖେଳାଳି ସାମିଲ ଅଛନ୍ତି। ଅଧିନାୟିକା ହରମନ୍‌ପ୍ରୀତ୍‌ କୌରଙ୍କ ସହ ସ୍ମୃତି ମନ୍ଧାନା ଓ ଅଲ୍‌ରାଉଣ୍ଡର ଦୀପ୍ତି ଶର୍ମା ଏହି ତାଲିକାରେ ସାମିଲ ଅଛନ୍ତି। ପୂର୍ବ ବର୍ଷରେ ମଧ୍ୟ ଏହି ୩ ଖେଳାଳି ଗ୍ରେଡ୍‌ ଏ’ରେ ସାମିଲ ଥିଲେ। ଅନ୍ୟପକ୍ଷରେ ପୂର୍ବରୁ ଏ’ ଗ୍ରେଡ୍‌ରେ ସାମିଲ ଥିବା ରାଜେଶ୍ୱରୀ ଗ୍ରେଡ୍‌ ବି’କୁ ଖସିଛନ୍ତି। ଟି୨୦ ବିଶ୍ୱକପ୍‌ ଦଳକୁ ଡାକରା ପାଇଥିବା ଭେଟେରାନ୍‌ ଶିଖା ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ୍‌ ପଡ଼ିଥିବା ବେଳେ ଶେଷଥର ପାଇଁ ୨୦୨୨ରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ପୁନମ୍‌ ଓ ତାନିଆଙ୍କୁ ମଧ୍ୟ ଦଳରୁ ବାଦ୍‌ ଦିଆଯାଇଛି। ୨୦୨୨ରେ ଚମତ୍କାର ପ୍ରଦର୍ଶନ କରିଥିବା ପେସ୍‌ ବୋଲର ରେଣୁକା ଠାକୁରଙ୍କୁ ଏହି ତାଲିକାରେ ପ୍ରଥମଥର ସାମିଲ କରାଯାଇଛି। ରେଣୁକା ସିଧାସଳଖ ଗ୍ରେଡ୍‌ ବି’ରେ ସାମିଲ ହୋଇଛନ୍ତି। ରିଚା ଘୋଷ୍‌ ଓ ଜେମିମା ରୋଡ୍ରିଗୁଏଜ୍‌ ଗ୍ରେଡ୍‌ ସି’ରୁ ପଦୋନ୍ନତି ପାଇ ଗ୍ରେଡ୍‌ ବି’ରେ ସାମିଲ ହୋଇଛନ୍ତି।
ସମ୍ପୂର୍ଣ୍ଣ ତାଲିକା
କାଟେଗୋରି ଏ’: ହରମନ୍‌ପ୍ରୀତ୍‌ କୌର,ସ୍ମୃତି ମନ୍ଧାନା ଓ ଦୀପ୍ତି ଶର୍ମା।
କାଟେଗୋରି ବି’: ରେଣୁକା ଠାକୁର, ଜେମିମା ରୋଡ୍ରିଗୁଏଜ୍‌, ଶେଫାଳି ବର୍ମା, ରିଚା ଘୋଷ୍‌ ଓ ରାଜେଶ୍ୱରୀ ଗାଏକ୍ୱାଡ୍‌।
କାଟେଗୋରି ସି’: ମେଘନା ସିଂ, ଦେବିକା ବୈଦ୍ୟ, ସବ୍ବିନେନୀ ମେଘନା, ରାଧା ଯାଦବ, ଅଞ୍ଜଳି ସର୍ବାଣୀ, ପୂଜା ବସ୍ତ୍ରକାର, ହରଲିନ୍‌ ଦେଓଲ, ସ୍ନେହ ରାଣା ଓ ୟସ୍ତିକା ଭାଟିଆ।

Share