Categories: ଜାତୀୟ

ଯେତିକି ଅଧିକ ପିଲା, ସେତିକି ଅଧିକ ବେତନ

ଗ୍ୟାଙ୍ଗଟକ୍‌,୧୭।୧: ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତୋମାଙ୍ଗ ଅଧିକ ସନ୍ତାନ ଜନ୍ମ କରିବାକୁ ଅନୁସୂଚିତ ଜାତିର ଲୋକଙ୍କ ପାଇଁ ବିଭିନ୍ନ ପ୍ରୋତ୍ସାହନ ଘୋଷଣା କରିଛନ୍ତି। ଦକ୍ଷିଣ ସିକ୍କିମର ଜୋରଥାଙ୍ଗ ସହରରେ ରବିବାର ମାଘ ସଂକ୍ରାନ୍ତିରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି, ସିକ୍କିମର ପ୍ରଜନନ ହାର ଗତ କିଛି ବର୍ଷ ମଧ୍ୟରେ ପ୍ରତି ମହିଳାଙ୍କ ଗୋଟିଏ ସନ୍ତାନରୁ ସର୍ବନିମ୍ନ ଅଭିବୃଦ୍ଧି ହାର ରେକର୍ଡ କରାଯାଇଛି। ଯାହାଫଲରେ ଅନୁସୂଚିତ ଜାତି ସମ୍ପ୍ରଦାୟର ଜନସଂଖ୍ୟା ହ୍ରାସ ପାଇଛି। ସେହିପରି ମହିଳାଙ୍କ ସମେତ ସ୍ଥାନୀୟ ଲୋକଙ୍କୁ ମଧ୍ୟ ଅଧିକ ସନ୍ତାନ କରିବାକୁ ପ୍ରୋତ୍ସାହିତ କରି ପ୍ରଜନନ ହାର ହ୍ରାସକୁ ରୋକିବା ଉଚିତ୍‌ ବୋଲି ତମାଙ୍ଗ କହିଛନ୍ତି। ଏଥିସହ ସେ କହିଛନ୍ତି, ପୂର୍ବରୁ ତାଙ୍କ ସରକାର ଉକ୍ତ ସେବାରେ ମହିଳାମାନଙ୍କୁ ୩୬୫ ଦିନ ମାତୃତ୍ୱ ଛୁଟି ଏବଂ ପୁରୁଷ କର୍ମଚାରୀଙ୍କୁ ୩୦ ଦିନ ପୈତୃକ ଛୁଟି ପ୍ରଦାନ କରିସାରିଛନ୍ତି। ଯାହାଦ୍ୱାରା ଅଧିକ ସନ୍ତାନ ଜନ୍ମ କରିବା ପାଇଁ ସେମାନଙ୍କୁ ଉତ୍ସାହିତ କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏତଦ୍‌ ବ୍ୟତୀତ ମହିଳା କର୍ମଚାରୀଙ୍କ ଦ୍ୱିତୀୟ ସନ୍ତାନ ହେଲେ ଗୋଟିଏ ବେତନ ବୃଦ୍ଧି ହେବ ଏବଂ ତୃତୀୟ ଶିଶୁଙ୍କ ପାଇଁ ୨ଟି ବେତନ ବୃଦ୍ଧି କରାଯିବାକୁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି। ଏହାଦ୍ୱାରା ସାଧାରଣ ଲୋକ ଏକାଧିକ ସନ୍ତାନ ଜନ୍ମ ପାଇଁ ଆର୍ଥିକ ସହାୟତା ପାଇବାକୁ ଯୋଗ୍ୟ ହେବେ। ଯାହାର ସବିଶେଷ ତଥ୍ୟ ସ୍ବାସ୍ଥ୍ୟ ଓ ମହିଳା ଏବଂ ଶିଶୁ ବିଭାଗ ପ୍ରସ୍ତୁତି କରିବ। କେବଳ ସେତିକି ନୁହେଁ ଆଇବିଏଫ୍‌ ଦ୍ୱାରା ଜନ୍ମ ହେଉଥିବା ସନ୍ତାନଙ୍କ ମା’ଙ୍କୁ ୩ଲକ୍ଷ ଟଙ୍କା ଅନୁଦାନ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ତୋମାଙ୍ଗ କହିଛନ୍ତି।

Share