Categories: ଜାତୀୟ

ନିଜ ସହଯୋଗୀଙ୍କୁ ଗୁଳି କଲେ ପୋଲିସ ଯବାନ: ୩ମୃତ

ନୂଆଦିଲ୍ଲୀ,୧୮।୭: ରାଜଧାନୀ ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ସିକ୍କିମ ପୋଲିସର ଜଣେ ଯବାନ ନିଜର ୩ସହଯୋଗୀଙ୍କ ଉପରେ ଗୁଳି ଚଳାଇଥିବା ଜଣାପଡ଼ିଛି। ଏହି ଘଟଣାରେ ୩ଜଣ ଯବାନଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣକ ହସ୍ପିଟାଲରେ ଯିବା ସମୟରେ ହିଁ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ଏହି ଘଟଣା ରୋହିଣୀ ସ୍ଥିତ ହାଇଦରପୁର ଓ୍ବାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟର ଘଟିଛି। ଏହି ସମସ୍ତ ଯବାନ ଉକ୍ତ ପ୍ଲାଣ୍ଟରେ ମୁତୟନ ଥିଲେ। ସୋମବାର ଦ୍ୱିପ୍ରହର ୩ଟାରେ ଅଭିଯୁକ୍ତ ଲାନ୍ସ ନାୟକ ପ୍ରବୀଣ ରାୟ ଏବଂ ପିଣ୍ଟୋ ନାମଗୟାଲ ଭୁଟିଆ, ଧନହାଙ୍ଗ ସୁବ୍ବା ଓ ଇନ୍ଦ୍ର ଲାଲ ଛେତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ପ୍ରବୀଣ ରାୟ ଉତ୍ତ୍ୟକ୍ତ ହୋଇପଡ଼ି ୩ସହଯୋଗୀଙ୍କ ଉପରେ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ପିଣ୍ଟୋ ଓ ଇନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଧନହାଙ୍ଗଙ୍କୁ ଗୁରୁତର ଅବସ୍ଥାରେ ବାବା ସାହେବ ଆମ୍ବେଦକର ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଅଭିଯୁକ୍ତ ଯବାନ ପ୍ରବୀଣ ରାୟଙ୍କୁ ପୋଲିସ ଗିରଫ କରିଛି। ତେବେ ନିଜ ଭିତରେ ହୋଇଥିବା ଝଗଡ଼ାରୁ ଏହି ଗୁଳିକାଣ୍ଡ ଘଟିଥିବା କୁହାଯାଉଛି। ନିକଟରେ ଜମ୍ମୁ-କଶ୍ମୀରରେ ମଧ୍ୟ ସମାନ ଘଟଣା ଘଟିଥିଲା ।

Share