‘ସାଇଲେଣ୍ଟ କୋଭିଡ୍‌ ଓ୍ବାରିଅର’ ହର୍ଷିଲ

କଟକ ଅଫିସ,୨୫ା୭: ଲକ୍‌ଡାଉନ ବେଳର ଚିତ୍ର ଆଙ୍କି ବିଶ୍ୱସ୍ତରରେ କୃତିତ୍ୱ ହାସଲ କରିଛନ୍ତି କଟକର ୯ ବର୍ଷୀୟ ହର୍ଷିଲ ଅଗ୍ରୱାଲ। ଲଣ୍ଡନର ୱାର୍ଲଡ ବୁକ୍‌ ଅଫ୍‌ ରେକର୍ଡ ହର୍ଷିଲଙ୍କୁ ‘ସାଇଲେଣ୍ଟ କୋଭିଡ୍‌ ୱାରିୟର’ ଭାବେ ସମ୍ମାନିତ କରିଛି। ଏହାଛଡ଼ା ଏକ୍ସକ୍ଲୁସିଭ ଓ୍ବାଲର୍‌ଡ ରେକର୍ଡ ଓ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ମଧ୍ୟ ତାଙ୍କ କଳାକୃତିକୁ ସ୍ଥାନ ମିଳିଛି। ଗିନିଜ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡ ହାସଲ ପାଇଁ ହର୍ଷିଲଙ୍କ ନାମ ଆବେଦନ କରାଯାଇଛି। ସଞ୍ଜୟ ଅଗ୍ରୱାଲ ଓ ରିଙ୍କି ଅଗ୍ରୱାଲଙ୍କ ଏକମାତ୍ର ପୁଅ ହେଉଛନ୍ତି ହର୍ଷିଲ। ତାଙ୍କ ଘର ମହତାବ ରୋଡ୍‌। ଏବେ ସେ ଷ୍ଟିୱାର୍ଟ ସ୍କୁଲରେ ୫ମ ଶ୍ରେଣୀରେ ପଢୁଛନ୍ତି। ୬ ବର୍ଷ ବୟସରୁ ସେ ସଦାକତ ଅଲ୍ଲୀଙ୍କଠାରୁ ଚିତ୍ରାଙ୍କନ ଶିଖୁଛନ୍ତି। ଲକ୍‌ଡାଉନ ଜାରି ହେବା ପରେ ହର୍ଷିଲ ପ୍ରତ୍ୟେକ ଦିନ କରୋନାକୁ ନେଇ ଗୋଟିଏ ଚିତ୍ର ଆଙ୍କନ୍ତି। ତାହାର ଫଟୋକୁ ବାପା ସଞ୍ଜୟ ସୋସିଆଲ ମିଡିଆରେ ଅପଲୋଡ୍‌ କରୁଥିଲେ। ଇନଷ୍ଟାଗ୍ରାମ କିମ୍ବା ଟୁଇଟରରେ ଅପଲୋଡ୍‌ କରିବା ବେଳେ ହ୍ୟାସ୍‌ଟ୍ୟାଗ ଦେଇ ପିଏମ୍‌, ସିଏମ୍‌ଓ, ଡବ୍ଲ୍ୟୁଏଚ୍‌ଓ, ଷ୍ଟେ ହୋମ ଷ୍ଟେ ସେଫ ଆଦିକୁ ଟ୍ୟାଗ କରୁଥିଲେ। ଚିତ୍ରଗୁଡ଼ିକୁ ମାତ୍ରାଧିକ ଶେୟାର ମିଳୁଥିଲା। କିଛି ଦିନ ପରେ ଏକ୍ସକ୍ଲୁସିଭ ଓ୍ବାଲର୍‌ଡ ରେକର୍ଡ ଫାଉଣ୍ଡେଶନ ସଞ୍ଜୟଙ୍କୁ ଯୋଗାଯୋଗ କରିଥିଲା। ଏହାପରେ ସଞ୍ଜୟ ଲଣ୍ଡନର ୱାଲର୍‌ଡ ବୁକ୍‌ ଅଫ୍‌ ରେକର୍ଡ, ଏକ୍ସକ୍ଲୁସିଭ ଓ୍ବାଲର୍‌ଡ ରେକର୍ଡ ଓ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡକୁ ଆବେଦନପତ୍ର ଲେଖିଥିଲେ। ଜୁରୀ ମେମ୍ବରଙ୍କ ଦ୍ୱାରା ଏହା ଚୟନ ହେବା ପରେ ହର୍ଷିଲଙ୍କୁ ବିଶ୍ୱ ରେକର୍ଡର ଟାଇଟଲ ଦିଆଯାଇଛି। ୨ଦିନ ତଳେ କୋରିୟରରେ ମାନପତ୍ର ଓ ମେଡାଲ କଟକରେ ପହଞ୍ଚତ୍ଥିଲା ବୋଲି ସଞ୍ଜୟ କହିଛନ୍ତି।

Share