ପୁରୀ ଅଫିସ, ୭।୧୧: ଶ୍ରୀମନ୍ଦିରର ୮ଟି ଦ୍ୱାର ରୁପାରେ ଝଲସିବ। ଜୟ ବିଜୟ, କଳାହାଟ, ବେହେରଣ, ସାତ ପାହାଚ, ପଶ୍ଚିମ ଭୋଗ ମଣ୍ଡପ, ନୃସିଂହ ମନ୍ଦିର, ମା’ ବିମଳା ଏବଂ ମା’ ମହାଲକ୍ଷ୍ମୀ ମନ୍ଦିରର ଗର୍ଭଦ୍ୱାରକୁ ରୁପା ଛାଉଣି କରାଯିବ। ଏଥିପାଇଁ ଆବଶ୍ୟକ ସମସ୍ତ ଖର୍ଚ୍ଚ ଜଣେ ଭକ୍ତ ବହନ କରିବେ। ଏହି ୮ଟି ଦ୍ୱାର କବାଟରେ ପ୍ରାୟ ଅଢେଇ ଟନ୍ ରୁପା ଲାଗିବ। ଏ ନେଇ ଗଠିତ କମିଟିର ବୈଠକ ଆସନ୍ତା ୯ ତାରିଖରେ ନୀଳାଦ୍ରି ଭକ୍ତ ନିବାସରେ ବସିବ। ଏଥିରେ ସମ୍ପୃକ୍ତ ଭକ୍ତଙ୍କ ପକ୍ଷରୁ ମୁମ୍ବାଇର କାରିଗର ଓ ଡିଜାଇନର ଯୋଗଦେବେ। ବୈଠକରେ ରୁପା ଡିଜାଇନ ଚୂଡ଼ାନ୍ତ କରାଯିବ।
ଶ୍ରୀମନ୍ଦିରର ୮ଟି ଦ୍ୱାର ରୁପା ଛାଉଣି ପାଇଁ ଗତ ୨୭ ତାରିଖରେ ୨୧ ଜଣିଆ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ନୂତନ କବାଟ ତିଆରିଠାରୁ ରୁପା ଛାଉଣି ପର୍ଯ୍ୟନ୍ତ ସମସ୍ତ ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। କେଉଁଠି ତିଆରି ହେବ, କେତେଜଣ କାରିଗର ଲାଗିବେ, ସିସିଟିଭିରେ କାମର ତଦାରଖ, ଷ୍ଟୋର ରୁମ୍ ଆଦିି ବିଷୟ ଚୂଡ଼ାନ୍ତ ହୋଇଥିଲା। ଶ୍ରୀମନ୍ଦିର ପରମ୍ପରା ରକ୍ଷା ତଥା ଉତ୍କଳୀୟ କଳା, କାରିଗରିର ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ କାମ ହେବ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି। ମାତ୍ର ରୁପା ଛାଉଣି ଡିଜାଇନ ଚୂଡ଼ାନ୍ତ ହୋଇପାରି ନ ଥିଲା। ସୂଚନାଥାଉ କି, ପ୍ରଥମେ ୮ଟି ଯାକ କବାଟ ବର୍ମା ଟିକ୍ କାଠରେ ତିଆରି କରାଯିବ। ଏହା ଉପରେ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ରୁପା ଚାଦର ଆବରଣ କରାଯିବ। ପ୍ରଥମେ ସାତପାହଚ ଦ୍ୱାର ରୁପା ଛାଉଣି କରାଯିବ। ଯଦି ଏଥିରେ କୌଣସି ତ୍ରୁଟିବିଚ୍ୟୁତି ନଜରକୁ ଆସେ ତେବେ ପରବର୍ତ୍ତୀ ୭ଟି ଯାକ କବାଟରେ ଏହାକୁ ସଂଶୋଧନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।