Categories: ଖେଳ

ଜେରେମିଙ୍କୁ ରୌପ୍ୟ ପଦକ

ଜିଞ୍ଜୁ(କୋରିଆ),୮ା୫(ପି.ଟି.): କୋରିଆର ଜିଞ୍ଜୁରେ ଅନୁଷ୍ଠିତ ଏସିଆନ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଭାରତର ଜେରେମି ଲାଲରିନ୍ନୁଙ୍ଗାଙ୍କୁ ରୌପ୍ୟ ପଦକ ମିଳିଛି। ସେ ସ୍ନାଚ୍‌ରେ ରୌପ୍ୟ ପଦକ ହାସଲ କରିଥିଲେ ସୁଦ୍ଧା କ୍ଲିନ୍‌ ଆଣ୍ଡ ଜର୍କରେ ଇଭେଣ୍ଟ ଫିନିଶ କରିବାରେ ସଫଳ ହୋଇ ନ ଥିଲେ। ରବିବାର ଏସିଆନ୍‌ ଚାମ୍ପିୟନଶିପ୍‌ରେ କ୍ଲିନ୍‌ ଆଣ୍ଡ ଜର୍କରେ ନିଜର ୩ଟି ଯାକ ପ୍ରୟାସରେ ସେ ବିଫଳ ରହିଥିଲେ। ୧୨ ଜଣ ଭାରୋତ୍ତୋଳକଙ୍କ ମଧ୍ୟରେ ଜେରେମି ଏକମାତ୍ର ଖେଳାଳି ଥିଲେ, ଯିଏ ନିଜର ଇଭେଣ୍ଟ ସମ୍ପୂର୍ଣ୍ଣ କରିପାରି ନ ଥିଲେ। ୬୭ କିଗ୍ରାର ଅଣ ଅଲିମ୍ପିକ୍‌ ବର୍ଗରେ ଅଂଶଗ୍ରହଣ କରୁଥିବା ୨୦୨୨ ରାଜ୍ୟଗୋଷ୍ଠୀ ସ୍ବର୍ଣ୍ଣ ପଦକ ବିଜେତା ୨୦ ବର୍ଷୀୟ ଜେରେମି ସ୍ନାଚ୍‌ରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହିତ ରୌପ୍ୟ ପଦକ ହାସଲ କରିଥିଲେ। ତେବେ କ୍ଲିନ୍‌ ଆଣ୍ଡ ଜର୍କରେ ସେ ତିନୋଟି ଯାକ ପ୍ରୟାସରେ ବିଫଳ ହୋଇଥିଲେ। ପ୍ରଥମ ଦୁଇ ପ୍ରୟାସରେ ସେ ୧୬୫ କିଗ୍ରା ଓଜନ ଉଠାଇବାରେ ବିଫଳ ହୋଇଥିଲେ। ତୃତୀୟ ପ୍ରୟାସରେ ଓଜନ ବଢାଇ ୧୬୮ କିଗ୍ରା ଉଠାଇବାକୁ ପ୍ରୟାସ କରିଥିଲେ। ୟୁଥ୍‌ ଅଲିମ୍ପିକ୍ସ ଚାମ୍ପିୟନ ଖେଳାଳି ଜଣଙ୍କ କିନ୍ତୁ ଓଜନ ଉଠାଇବାରେ ବିଫଳ ହୋଇଥିଲେ। ତେବେ ଉଭୟ ସ୍ନାଚ୍‌ ଓ କ୍ଲିନ୍‌ ଆଣ୍ଡ ଜର୍କରେ ଜେରେମି ମାତ୍ର ଦୁଇ ଥର ସଫଳତାର ସହ ବାର ବେଲ୍‌ ଉଠାଇ ପାରିଥିଲେ। ମୋ ତରଫରୁ ମୁଁ ସମସ୍ତ ପ୍ରୟାସ କରିଥିଲେ ହେଁ ଏହା ମୋର ଦିନ ନ ଥିଲା ବୋଲି କହିଛନ୍ତି ଜେରେମି। ଦୁଇଥର ପ୍ରୟାସ ବିଫଳ ହେବା ପରେ ଜାତୀୟ ରେକର୍ଡ ପାଇଁ ଚେଷ୍ଟା କରିଥିଲି। ଅଭ୍ୟାସ ସମୟରେ ଆରାମରେ ଏହି ଓଜନ ଉଠାଉଥିବା ବେଳେ ଆଜିର ଇଭେଣ୍ଟରେ ବିଫଳ ହୋଇଥିଲି। ଏହା ମୋ ଦିନ ନ ଥିଲା ବୋଲି ମିଜୋରାମର ଏହି ଭାରୋତ୍ତୋଳକ ପ୍ରକାଶ କରିଥିଲେ। ଚାଇନାର ହେ ୟୁଏଜି ମୋଟ ୩୨୦ କିଗ୍ରା ଭାରୋତ୍ତୋଳନ(୧୪୭+୧୭୩) ସହ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସ୍ଥାନୀୟ ଖେଳାଳି ଲି ସାଙ୍ଗେୟୋନ୍‌ ମୋଟ ୩୧୪ କିଗ୍ରାର ଭାରୋତ୍ତୋଳନ କରି ରୌପ୍ୟ ଓ ଉଜବେକିସ୍ତାନର ଏର୍ଗାଶେଭ ଆଦଖାମଜୋନ୍‌ ୩୧୨ କିଗ୍ରାର ଭାରୋତ୍ତୋଳନ ସହିତ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଶନିବାର ପ୍ରଥମ ଭାରତୀୟ ଭାବେ ୫୫ କିଗ୍ରା ଓଜନ ବର୍ଗରେ ବିନ୍ଦ୍ୟାରାଣୀ ଦେବୀ ରୌପ୍ୟ ପଦକ ହାସଲ କରିଥିଲେ।

Share