‘ଇ-ମମତା ୨.୦’କୁ ସିଲ୍‌ଭର୍‌ ସ୍କଚ୍‌ ଆୱାର୍ଡ

ଭୁବନେଶ୍ୱର, ୧୩।୨(ଅସମାପିକା ସାହୁ):ମହିଳା ଓ ଶିଶୁ ବିକାଶ ବିଭାଗର ‘ଇ-ମମତା ୨.୦’କୁ ଦିଲ୍ଲୀର ସମ୍ବିଧାନ କ୍ଲବରେ ଜାତୀୟସ୍ତରରେ ସମ୍ମାନଜନକ ସିଲ୍‌ଭର୍‌ ସ୍କଚ୍‌ ଆୱାର୍ଡ ମିଳିଛି। ଓଡ଼ିଶାର ମା’ ଓ ଶିଶୁ ମୃତ୍ୟୁ ହାର ହ୍ରାସ କରିବା ସହ ଗର୍ଭବତୀ ଓ ପ୍ରସୂତି ମା’ ଏବଂ ସେମାନଙ୍କ ଶିଶୁଙ୍କ ସ୍ବାସ୍ଥ୍ୟ ଓ ପୁଷ୍ଟିକର ସ୍ଥିତିରେ ଉଲ୍ଲେଖନୀୟ ରୂପାନ୍ତରଣ ନିମନ୍ତେ ଏହି ଯୋଜନାକୁ ପୁରସ୍କୃତ କରାଯାଇଛି। ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଶାସନ ସଚିବ ଏବଂ ମମତା ଯୋଜନାର ଷ୍ଟେଟ୍‌ ପ୍ରୋଗ୍ରାମ ସଂଯୋଜକ ଉପସ୍ଥିତ ରହି ଏହି ସମ୍ମାନ ଗ୍ରହଣ କରିଛନ୍ତି।
ମା’ ଓ ଶିଶୁ ମୃତ୍ୟୁ ହାର ହ୍ରାସ କରିବା ଲକ୍ଷ୍ୟ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୨୦୧୧ରେ ମମତା ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନାରେ ଆଜିପର୍ଯ୍ୟନ୍ତ ଓଡ଼ିଶାର ପ୍ରାୟ ୬୦ ଲକ୍ଷରୁ ଊର୍ଦ୍ଧ୍ୱ ଗର୍ଭବତୀ ମହିଳା ଓ ପ୍ରସୂତି ମା’ମାନଙ୍କୁ ସ୍ବାସ୍ଥ୍ୟ କ୍ଷେତ୍ରରେ ସୁବିଧା ଯୋଗାଇଦେବା ସହ ୨,୮୯୯ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଅର୍ଥ ରାଶି ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ହସ୍ତାନ୍ତରିତ କରାଯାଇଛି। ୫-‘ଟି’ ରୂପାନ୍ତରଣରେ ଏହି ଯୋଜନାର ସଫଳ ରୂପାୟନ ହେଉଛି। ମମତା ଯୋଜନାକୁ ଲୋକାଭିମୁଖୀ କରିବା ଦିଗରେ ‘ଇ-ମମତା ୨.୦’ ଆପ୍ଲିକେଶନର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ଜାତୀୟସ୍ତରରେ ଏହି ‘ଇ-ମମତା ୨.୦’ ଆପ୍ଲିକେଶନକୁ ଭୂୟସୀ ପ୍ରଶଂସା କରାଯାଇଛି।

Share