Categories: ଖେଳ

ଓଡ଼ିଶା ବାଳିକା ଦଳକୁ ରୌପ୍ୟ

ଭୁବନେଶ୍ୱର, ୩୧ା୧୨(କ୍ରୀଡ଼ା ପ୍ରତିନିଧି): ପଶ୍ଚିମବଙ୍ଗରେ ଅନୁଷ୍ଠିତ ୪୧ତମ ଜାତୀୟ ଜୁନିୟର ଖୋ ଖୋ ପ୍ରତିଯୋଗିତାରେ ଓଡ଼ିଶା ବାଳିକା ଦଳ ରୌପ୍ୟ ପଦକ ହାସଲ କରିଛି। ଦୀର୍ଘବର୍ଷ ପରେ ବାଳିକା ଦଳକୁ ଏହି ସଫଳତା ମିଳିଛି। ସେମିଫାଇନାଲରେ କୋହ୍ଲାପୁରକୁ ହରାଇଥିବା ଓଡ଼ିଶା ଫାଇନାଲରେ ମହାରାଷ୍ଟ୍ରଠାରୁ ୧୦-୧୬ ପଏଣ୍ଟରେ ହାରିଯାଇଥିଲା। ଏହି ମ୍ୟାଚ୍‌ରେ ଓଡିଶା ଦଳର ଖେଳାଳି ଅର୍ଚ୍ଚନା ମାଝୀ ୨ ମିନିଟ ୨୦ ସେକେଣ୍ଡ, ସ୍ମରଣିକା ସାହୁ ୨ ମିନିଟ ୪୦ ସେକେଣ୍ଡ, ଅର୍ଚ୍ଚନା ପ୍ରଧାନ ୨ ମିନିଟ ୨୦ ସେକେଣ୍ଡ ରନିଂ କରିଥିବା ବେଳେ ଶୁଭଶ୍ରୀ ସିଂ ଓ ଅନନ୍ୟା ପ୍ରଧାନ ଉତ୍ତମ ଚେଜିଙ୍ଗ୍‌ କରିଥିଲେ। ଶ୍ରେଷ୍ଠ ରନର ଭାବେ ଅର୍ଚ୍ଚନା ପ୍ରଧାନଙ୍କୁ ୫୦୦୦ ଟଙ୍କାର ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରାଯାଇଥିଲା ବୋଲି ଓଡ଼ିଶା ଖୋ ଖୋ ସଂଘର ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ସୂଚନା ଦେଇଛନ୍ତ। ପ୍ରତିଯୋଗିତାର ବାଳିକା ବିଭାଗରେ ଅଂଶଗ୍ରହଣ କରିଥିବା ଖେଳାଳିମାନେ ହେଲେ ଅର୍ଚ୍ଚନା ମାଝୀ, କାଦମ୍ବିନୀ ମାଝୀ, ଲିପି ନାୟକ, ଦୁର୍ଗାଶିନୀ ମାଝୀ, ଶୁଭଶ୍ରୀ ସିଂ, ଅର୍ଚ୍ଚନା ପ୍ରଧାନ, ମଧୁସ୍ମିତା ସେଠୀ, ଚମ୍ପା ମାଝୀ, ନିଶା ଖାତୁନ, ଅନନ୍ୟା ପ୍ରଧାନ, କ୍ରିଷ୍ଣା ଦାସ, କ୍ରିଷ୍ଣାପ୍ରଭା ନାୟକ, ମୋନିକା ନାୟକ, ଟି.ପୂଜା। ପ୍ରଶିକ୍ଷକ ସଞ୍ଜୀବ ଶର୍ମା ଓ ମ୍ୟାନେଜର ଶାନ୍ତିଲତା ପ୍ରଧାନ ଖେଳାଳିଙ୍କ ସହ ପଶ୍ଚିମବଙ୍ଗ ଯାତ୍ରା କରିଥିଲେ।

Share