Categories: ଖେଳ

ରାମକୁମାର-ମାଇନେନିଙ୍କୁ ରୌପ୍ୟ

ହାଙ୍ଗଝୋ, ୩୦।୯(ପି.ଟି.): ଏସିଆନ ଗେମ୍ସର ପୁରୁଷ ଡବଲ୍ସ ଟେନିସରେ ଭାରତର ରାମକୁମାର ରମାନାଥନ ଓ ସାକେଥ ମାଇନେନି ରୌପ୍ୟ ପଦକ ହାସଲ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ ଏହି ଭାରତୀୟ ଯୋଡ଼ି ଚାଇନିଜ ତାଇପେର ସୁ ୟୁ-ସିଉ ଓ ଜାସନ ଜଙ୍ଗଙ୍କଠାରୁ ହାରି ଯାଇଛନ୍ତି। ତେବେ ଟେନିସ କୋର୍ଟରୁ ଭାରତର ସ୍ବର୍ଣ୍ଣ ଆଶା ଉଜ୍ଜୀବିତ ରହିଛି। ମିକ୍ସଡ ଡବଲ୍ସରେ ରୋହନ ବୋପାନ୍ନା ଓ ଋତୁଜା ଭୋସାଲେ ଫାଇନାଲରେ ପ୍ରବେଶ କରିଛନ୍ତି। ତାଇପେ ଯୋଡ଼ି ଅଣସିଡେଡ ଭାବେ ଖେଳିଥିଲେ ହେଁ ଉଭୟ ସୁ (୧୮୨) ଓ ଜଙ୍ଗ୍‌ (୨୩୧) ଉନ୍ନତ ର଼୍ୟାଙ୍କ୍‌ପ୍ରାପ୍ତ ସିଙ୍ଗଲ୍ସ ଖେଳାଳି। ଉଭୟ ଟାଇଟଲ ପର୍ଯ୍ୟାୟରେ ଚମତ୍କାର ଗ୍ରାଉଣ୍ଡ ଷ୍ଟ୍ରୋକ୍‌ ଖେଳି ଭାରତୀୟ ଯୋଡ଼ିଙ୍କୁ ୬-୪, ୬-୪ ସେଟ୍‌ରେ ପରାସ୍ତ କରିଥିଲେ। ରାମକୁମାରଙ୍କ ପାଇଁ ଏହାଥିଲା ପ୍ରଥମ ଏସିଆନ ଗେମ୍ସ ପଦକ। ଅନ୍ୟପକ୍ଷରେ ମାଇନେନି ତୃତୀୟ ପଦକ ହାସଲ କରିଛନ୍ତି। ସେ ୨୦୧୪ ଇଞ୍ଚତ୍ଅନ ଏସିଆନ ଗେମ୍ସରେ ସନମ ସିଂଙ୍କୁ ସାଥିକରି ପୁରୁଷ ଡବଲ୍ସରେ ରୌପ୍ୟ ଓ ସାନିଆ ମିର୍ଜାଙ୍କୁ ପାର୍ଟନର କରି ମିକ୍ସଡ ଡବଲ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏଠାରେ ଶୁକ୍ରବାର ଅନୁଷ୍ଠିତ ମିକ୍ସଡ ଡବଲ୍ସ ସେମିଫାଇନାଲରେ ବୋପାନ୍ନା-ଋତୁଜା ଯୋଡ଼ି ଚାଇନିଜ୍‌ ତାଇପେର ଚାନ୍‌ ହାଓ-ଚିଙ୍ଗ୍‌ ଓ ୟୁ-ସିଉ ସୁଙ୍କୁ ୬-୧, ୩-୬, ୧୦-୪ରେ ପରାସ୍ତ କରିଥିଲେ।

Share