ସିମ କାର୍ଡ ଆଉ ସହଜରେ ହେବ ନାହିଁ କିଣି, ପୁରୁଣା ନିୟମ ବଦଳାଇଲେ ସରକାର…

ନୂଆଦିଲ୍ଲୀ,୨୦।୧୨ : ମୋବାଇଲ ଏବଂ ସିମ କାର୍ଡ ସହ ଜଡିତ ନିୟମକୁ ସରକାର ପରିବର୍ତ୍ତନ କରିଛନ୍ତି। ପୁରୁଣା ନିୟମରେ ସହଜ ଥିଲା, ଯାହା ଦ୍ୱାରା ବେଆଇନ ସିମ କାର୍ଡ କିଣି ବିଭିନ୍ନ ଅପରାଧ କରାଯାଇ ପାରୁଥିଲା। ତେବେ ବର୍ତ୍ତମାନ ଏକ ସିମ କାର୍ଡ କିଣିବା କଷ୍ଟକର ହୋଇପଡିଛି। ପୂର୍ବରୁ ଯେକେହି ଅନ୍ୟ କାହାର ଡକ୍ୟୁମେଣ୍ଟ ଦାଖଲ କରି ସିମ କାର୍ଡ ପାଇପାରୁଥିଲେ। କିନ୍ତୁ ବର୍ତ୍ତମାନ ସିମ କାର୍ଡ ପାଇବାକୁ ହେଲେ ବ୍ୟକ୍ତିଗତ ଭାବରେ ଯିବାକୁ ପଡିବ। ସିମ କାର୍ଡ ପାଇବା ପାଇଁ ବାୟୋମେଟ୍ରିକ ପରୀକ୍ଷା କରାଯିବ ।

ଏକ ନୂତନ ସିମ କାର୍ଡ ପାଇବାକୁ ହେଲେ ସମ୍ପୃକ୍ତ ୟୁଜରଙ୍କୁ ଆଧାର କାର୍ଡ କିମ୍ବା ଅନ୍ୟ କିଛି ଡକ୍ୟୁମେଣ୍ଟ ଦେବାକୁ ପଡିବ, ଯାହା ବାୟୋମେଟ୍ରିକ ବିବରଣୀ ସହିତ ଲିଙ୍କ ହୋଇଥିବା ଉଚିତ। ଏହା ପରେ, ୟୁଜରଙ୍କ ଆଖି ଏବଂ ହାତ ଆଙ୍ଗୁଠି ସ୍କାନ କରାଯିବ, ଯାହାଙ୍କର ନାମରେ ସିମ ଦିଆଯାଉଛି ସେ ପ୍ରକୃତରେ ସେହି ବ୍ୟକ୍ତି କି ନୁହେଁ ତାହା ଯାଞ୍ଚ କରାଯିବ। ଏହା ପରେ ଆଧାର କାର୍ଡ ସହିତ ସଂଯୁକ୍ତ ମୋବାଇଲକୁ ଏକ ଓଟିପି ପଠାଯିବ। ଏହି ସମସ୍ତ ଡକ୍ୟୁମେଣ୍ଟ ଯାଞ୍ଚ ପରେ ହିଁ ନୂଆ ସିମ କାର୍ଡ ପ୍ରଦାନ କରାଯିବ ।

ଏୟାରଟେଲ, ଜିଓ, ବିଏମଏନଏଲ ଏବଂ ଭୋଡାଫୋନ ଆଇଡିଆ ପରି ଟେଲିକମ କମ୍ପାନୀଗୁଡିକ ପାଇଁ ମଧ୍ୟ ନୂତନ ନିୟମ ଜାରି କରାଯାଇଛି। ଏହା ଅନ୍ତର୍ଗତ, କୌଣସି ପ୍ରୋତ୍ସାହନମୂଳକ ବାର୍ତ୍ତା ପଠାଇବା ପୂର୍ବରୁ ପ୍ରଥମେ ଗ୍ରାହକଙ୍କଠାରୁ ଅନୁମତି ନେବାକୁ ପଡ଼ିବ ।

ନିୟମ ଉଲ୍ଲଂଘନ ପାଇଁ ଟେଲିକମ କମ୍ପାନୀଗୁଡିକ ଉପରେ ଜରିମାନା ଲାଗୁ କରାଯିବ। ଟେଲିକମ ବିଲ ୨୦୨୩କୁ ସଂସଦରେ ସରକାର ଉପସ୍ଥାପନ କରିଛନ୍ତି ଯେଉଁଥିରେ ଅନେକ ସଂଶୋଧନ କରାଯାଇଛି, ଯାହା ଆଗାମୀ ଦିନରେ ଉପଭୋକ୍ତାମାନଙ୍କୁ ଅନେକ ଆଶ୍ୱସ୍ତି ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଉପଭୋକ୍ତାମାନଙ୍କ ଅଭିଯୋଗର ସମାଧାନ ପାଇଁ ଏକ ନୋଡାଲ ଏଜେନ୍ସି ଗଠନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି, ଯେଉଁଠାରେ ଉପଭୋକ୍ତାମାନେ ସେମାନଙ୍କ ଅଭିଯୋଗ ପଞ୍ଜିକରଣ କରିପାରିବେ। ଟେଲିକମ କମ୍ପାନୀଗୁଡିକ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହି ଅଭିଯୋଗଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ ।

Share