ଦାରିଙ୍ଗବାଡି,୯।୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଅଞ୍ଚଳରେ ଲୋକଙ୍କ ସୁବିଧା ଓ ପଥଚାରୀଙ୍କ ବିଶ୍ରାମ ପାଇଁ ପଞ୍ଚାୟତ ପକ୍ଷରୁ ଏବେ ପଦକ୍ଷେପ ନିଆଯାଇଛି । ପଞ୍ଚାୟତର ବିଭିନ୍ନ ଛକ ଓ ଜନଗହଳି ସ୍ଥାନରେ ସିମେଣ୍ଟର ବେଞ୍ଚ ପକାଯାଇଛି ଯେଉଁଠି ପଥଚାରୀମାନେ କିଛି ସମୟ ବିଶ୍ରାମ ନେବାକୁ ବସିବା ସୁବିଧା ହେବ। କିନ୍ତୁ ଯେଉଁ ସବୁ ସ୍ଥାନରେ ଏହି ବେଞ୍ଚ ପଡିଛି ସେହି ସବୁ ସ୍ଥାନରେ ଅଳିଆ ଆବର୍ଜନା, ଅଇଁଠା ଖଲିପତ୍ର, ପ୍ଲାଷ୍ଟିକ ପଡିଛି। ସେହି ସବୁସ୍ଥାନରେ ପୁତ୍ତିମୟ ଗନ୍ଧରେ ନାକ ଫାଟୁଛି ପଥଚାରୀ ସେଠାରେ ବିଶ୍ରାମ ନେଇ ନିଜ ସ୍ବାସ୍ଥ୍ୟକୁ ସୁରକ୍ଷା ଦେବା ବଦଳରେ ସେହି ସ୍ଥାନରେ ବରଂ ରୋଗ ସୃଷ୍ଟି ହେବା ଆଶଙ୍କା ରହିଥିବା ଯୋଗୁ ପଥଚାରୀ ସେଠାରେ ବସିବା ଦୂରର କଥା ବେଞ୍ଚ ନିକଟକୁ ମଧ୍ୟ କେହି ଯିବାକୁ ପସନ୍ଦ କରୁ ନ ଥିବା ଜଣାପଡିଛି।