ଦାରିଙ୍ଗବାଡି, ୨୩।୧(ଅରୁଣ ସାହୁ):ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିରେ ଭାରତ ମାତା ପୂଜନ ଉତ୍ସବ ଓ ସାଧାରଣତନ୍ତ୍ର ଦିବସ ବଡ଼ ଧୁମଧାମରେ ପାଳନ କରାଯିବ। ଏଥିପାଇଁ ସିମନବାଡି ସଜେଇ ହେଉଛି। ଗାଁର ଚାରିଦିଗରେ ସ୍ବାଗତ ପାଇଁ ମୁଖ୍ୟ ଫାଟକ ବା ତୋରଣ ନିର୍ମାଣ କରାଯାଇଛି। ଏହା ସମସ୍ତଙ୍କୁ ଆକର୍ଷିତ କରୁଛି।
ସେହିପରି ଏହି ଭାରତ ମାତା ପୂଜନସ୍ଥଳୀ ଭାବେ ଶିବ ମନ୍ଦିର ପ୍ରାଙ୍ଗଣରେ ଗତ ୧୨ ବର୍ଷ ହେଲା ପାଳନ କରାଯାଉଥିବା ବେଳେ ଚଳିତବର୍ଷ ଏହି ଦିବସ ପାଳନର ୧୩ ବର୍ଷ ହେବ ତେଣୁ ବହୁ ଆଡମ୍ବରରେ ଏହା ପାଳନ କରାଯିବା ପାଇଁ ତ୍ୱରଣ, ଆଲୋକମାଳାରେ ସଜ୍ଜିତ କରାଯିବା ସହ ମଞ୍ଚକୁ ସାଜସଜ୍ଜା କରାଯାଉଛି। ଜିଲା ତଥା ଜିଲା ବାହାରୁ ବିଭିନ୍ନ ବରିଷ୍ଠ କଳାକାରଙ୍କ ଆଗମନ ରହିଥିବା ବେଳେ ୩ ରାତି ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ କରାଯିବ। ପାରମ୍ପରିକ ନୃତ୍ୟ, ଓଡିଶୀ, ଲୋକକଳାକୁ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୁରୁତ୍ୱ ପ୍ରଦାନ କରାଯାଉଛି।
ଶନିବାର ଏହାର ଉଦଘାଟନ ରହିଥିବାବେଳେ ପ୍ରଥମେ କଳସ ଯାତ୍ରା ଅନୁଷ୍ଠିତ ହେବ। ବିରାଟ ଶୋଭାଯାତ୍ରାରେ ଏହି କଳସ ଯାତ୍ରା ଶିବ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚନା ସହ ଭାରତମାତାଙ୍କୁ ପୂଜାର୍ଚ୍ଚନା କରାଯିବ। ରବିବାର ସାଧାରଣତନ୍ତ୍ର ଦିବସ ପାଳନ କରାଯିବା ସହ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ଓ ଜାତୀୟସଂଗୀତ ଗାନ କରାଯିବ ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତି ସହର ପରିକ୍ରମା କରାଯିବ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସୋମବାର ସକାଳ ସମୟରେ ଏହାର ଉଦଯାପନୀ ହେବ।
ଏହି ଅବସରରେ ଭଗବାନ ବିର୍ଷା ମୁଣ୍ଡାଙ୍କ ୧୫୦ତମ ସାର୍ଦ୍ଧଶତୀକୁ ଧୁମଧାମରେ ପାଳନ କରାଯିବ କାର୍ଯ୍ୟକ୍ରମକୁ ସଂସ୍କାର ଭାରତୀ ଏବଂ ଅନନ୍ୟା ପକ୍ଷରୁ ଆୟୋଜନ କରାଯାଇଛି। ବିଭିନ୍ନ ଗ୍ରାମ୍ୟ କମିଟି ତଥା ଗବାଟବାଡ଼ି, ସିଲିକୁଟି, ସିମନବାଡି, ଡିପୁମାହା, ଓ ଜିଲାର ଅନ୍ୟାନ୍ୟ ବ୍ଲକର ଶତାଧିକ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବେ। କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମରେ ଯୋଗଦାନ କରିବାର ରହିଛି। ଶତାଧିକ ଶ୍ରଦ୍ଧାଳୁଙ୍କ ଯୋଗଦାନକୁ ଦୃଷ୍ଟିରେ ରଖି ସୁରକ୍ଷା ଓ ଶୃଙ୍ଖଳାକୁ ଗୁରୁତ୍ୱ ଦିଆଯାଇଛି। ସଂସ୍କାର ଭାରତୀର ଭୋପାଳ ମୁଖ୍ୟ କାର୍ଯ୍ୟାଳୟର ଜାତୀୟ ଜନଜାତି ଲୋକକଳା ସଂଯୋଜକ ନିରଞ୍ଜନ ପଣ୍ଡା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି।