Categories: ଖେଳ

ସିମରଜିତ ଜିତିଲେ ଗୋଲ୍ଡେନ ଟ୍ରାଙ୍ଗଲ ସାଇକ୍ଲିଂ ଚାମ୍ପିୟନଶିପ୍‌

ଭୁବନେଶ୍ୱର, ୧୩।୨ (କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱର ସାଇକ୍ଲିଂ ଆଣ୍ଡ ଆଡ୍‌ଭେଞ୍ଚର କ୍ଲବ ଆନୁକୂଲ୍ୟରେ ଗୋଲ୍ଡେନ ଟ୍ରାଙ୍ଗ୍‌ଲ ସାଇକ୍ଲିଂ ଚାମ୍ପିୟନଶିପ୍‌ର ୫ମ ସଂସ୍କରଣ ରବିବାର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ପଞ୍ଜାବର ସିମରଜିତ ସିଂ ୨:୫୪:୧୯ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନ ଅଧିକାର କରିଛନ୍ତି। ସେହି ପଞ୍ଜାବର ସରପ୍ରୀତ ସିଂ (୩:୦୫:୫୪) ଦ୍ୱିତୀୟ ଏବଂ ରାଉରକେଲାର ରୋହିତ ହେମ୍ବ୍ରମ (୩:୦୫:୫୫) ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଚାମ୍ପିୟନ ସିମଜିତଙ୍କୁ ପୁରସ୍କାର ଆକାରରେ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

ସରପ୍ରୀତ ଓ ରୋହିତଙ୍କୁ ଯଥାକ୍ରମେ ୫୦,୦୦୦ ଓ ୨୫,୦୦୦ ଟଙ୍କା ପୁରସ୍କାର ଆକାରରେ ଦିଆ ଯାଇଛି। ଅନ୍ୟମାନଙ୍କ ମଧ୍ୟରେ ସାକ୍ଷାତ ପାତ୍ର, ଆର. ହିତଙ୍କର ଦାସ, ଅନିଲ ମଲିକ, ମନଦୀପ କୁମାର, ରୋହିତ ସାମଲ, ସୌମିକ ପୋହି ଓ ପର୍ଶୁରାମ ଚୌଧାରୀ ଯଥାକ୍ରମେ ୪ର୍ଥରୁ ୧୦ମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ଏହାବ୍ୟତୀତ ସମସ୍ତ ଫିନିଶରଙ୍କୁ ପଦକ ଓ ପ୍ରମାଣପତ୍ର ଦିଆଯାଇ ସମ୍ମାନିତ କରାଯାଇଥିଲା। ଧଉଳିସ୍ଥିତ ଅଶୋକ ସ୍ତମ୍ଭ ନିକଟରୁ ସକାଳ ୬ଟା ୩୦ରେ ଗୋଇନ୍ଦା ବିଭାଗ ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସର୍କଲ ମୁଖ୍ୟ ଅନନ୍ତ ପଟ୍ଟନାୟକ ରେସ୍‌ର ଶୁଭାରମ୍ଭ କରିଥିଲେ। ଧଉଳିରୁ ପିପିଲି, ମାଳତୀପାଟପୁର, ବାଟଗାଁ, ମଙ୍ଗଳାଘାଟ ଏବଂ ପୁରୀ ମେରାଇନ୍‌ ଡ୍ରାଇଭ୍‌ ଦେଇ ସମାନ ରାସ୍ତାରେ ପୁଣି ଧଉଳି ନିକଟକୁ ଫେରିଥିଲା।

ଓଡ଼ିଶା ସମେତ ପଶ୍ଚିମବଙ୍ଗ, ପଞ୍ଜାବ, ହରିୟାଣା, ଝାଡ଼ଖଣ୍ଡ, ଛତିଶଗଡ଼, ଆନ୍ଧ୍ର ପ୍ରଦେଶ, ବିହାର, ମହାରାଷ୍ଟ୍ର ଆଦି ୯ ରାଜ୍ୟର ୧୦୦ରୁ ଊର୍ଦ୍ଧ୍ୱ ସାଇକ୍ଲିଷ୍ଟ ଏଥିରେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତା ମୋଟ ୧୧୪ କିଲୋମିଟର ବିଶିଷ୍ଟ ହୋଇଥିଲା। ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ ପ୍ରତିଯୋଗିତାର ମୁଖ୍ୟ ପ୍ରାୟୋଜକ ରହିଥିଲା। ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଗୋଇନ୍ଦା ବିଭାଗ ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସର୍କଲ ମୁଖ୍ୟ ଅନନ୍ତ ପଟ୍ଟନାୟକ ଏବଂ ଅର୍ଜୁନ ପୁରସ୍କାରପ୍ରାପ୍ତ ସାଇକ୍ଲିଷ୍ଟ ମୀନତି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଭୁବନେଶ୍ୱର ସାଇକ୍ଲିଂ ଆଣ୍ଡ ଆଡ୍‌ଭେଞ୍ଚର କ୍ଲବର ସଦସ୍ୟ ଅଜୟ କୁମାର ନନ୍ଦ ଓ ସନ୍ତୋଷ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରତିଯୋଗିତା ପରିଚାଳିତ ହୋଇଥିଲା।

Share