ବାରିପଦା ଅଫିସ,୧।୧୧: ଆଜିଠୁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ। ପର୍ଯ୍ୟଟକମାନେ ଆଜି ସକାଳ ୬ଟାରୁ ସକାଳ ୯ଟା ମଧ୍ୟରେ ବାରିପଦା ପଟୁ ପିଠାବଟା ଗେଟ୍ ଏବଂ ଯଶିପୁର ପଟୁ କାଳିଆଣି ଗେଟ୍ ଦେଇ ପ୍ରବେଶ କରିପାରିବେ। ପ୍ରକୃତିର ସୃଷ୍ଟି ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପଯର୍ୟଟକଙ୍କ ଭିଡ ପରିଲକ୍ଷିତ ହୋଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଟି.ଅଶୋକ କୁମାର ଉପସ୍ଥିତ ରହି ପର୍ଯ୍ୟଟକଙ୍କୁ ଗୋଲାପ ଫୁଲ ଦେଇ ଶିମିଳିପାଳକୁ ସ୍ବାଗତ କରିଛନ୍ତି। ପର୍ଯ୍ୟଟକମାନଙ୍କ ପାଇଁ ରହିବା ଓ ଖାଇବା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଥମ ଦିନରେ ବାରିପଦା ପଟୁ ୨୫ ଓ ଯଶିପୁର ପଟୁ ୩୫ଟି ଗାଡି ପ୍ରବେଶ କରିବାକୁ ଅନୁମତି ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ, ବର୍ଷା ଋତୁ ପାଇଁ ପର୍ଯ୍ୟଟକମାନଙ୍କ ପାଇଁ ଜୁନ ୧୬ରୁ ବନ୍ଦ ରହିଥିଲା ଶିମିଳିପାଳ। ବର୍ଷା ଋତୁରେ ଅଭୟାରଣ୍ୟର ରାସ୍ତାଘାଟ ଖରାପ ହୋଇଯାଏ। ତେଣୁ ପର୍ଯ୍ୟଟକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହାକୁ ସାମୟିକ ବନ୍ଦ କରାଯାଇଥାଏ।