ଟିକାକରଣ ପରେ ଆଣ୍ଟିବଡ଼ି ତିଆରି ନ ହେବାରୁ କମ୍ପାନୀ ସମେତ ଅନେକଙ୍କ ବିରୋଧରେ ମାମଲା ରୁଜୁ

ଲକ୍ଷ୍ନୌ,୩୧।୫: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରୁ ଏକ ନିଆରା ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ଟିକା ନେବା ପରେ ବି ତାଙ୍କ ଭିତରେ ଆଣ୍ଟିବଡ଼ି ତିଆରି ହୋଇପାରି ନ ଥିଲା। ଫଳରେ ଉକ୍ତ ବ୍ୟକ୍ତି ଜଣକ ସିରମ ଇନ୍‌ଷ୍ଟିଚ୍ୟୁଟ, ଆଇସିଏମ୍‌ଆର, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ, ରାଜ୍ୟ ଓ କେନ୍ଦ୍ରର ସ୍ବାସ୍ଥ୍ୟ ଅଧିକାରୀଙ୍କ ବିରୋଧରେ ଜାଲିଆତି ଓ ଜୀବନରୁ ମାରିଦେବାକୁ ଉଦ୍ୟମ ଅଭିଯୋଗରେ ଲକ୍ଷ୍ନୌରେ ଏକ ମାମଲା ରୁଜୁ କରିଛନ୍ତି। ଏହା ଏକ ହାଇପ୍ରୋଫାଇଲ୍‌ ମାମଲା ହୋଇଥିବାରୁ ବ୍ୟକ୍ତି ଜଣକ ସିଓ କ୍ୟାଣ୍ଟରେ ମଧ୍ୟ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଲକ୍ଷ୍ନୌରେ ରହୁଥିବା ପ୍ରତାପ ଚନ୍ଦ୍ର ନାମକ ଜଣେ ବ୍ୟକ୍ତି ଏପ୍ରିଲ ୮ରେ ସେରମ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆର ନିର୍ମିତ କୋଭିଶିଲ୍ଡ ଭାକ୍ସିନର ପ୍ରଥମ ଡୋଜ୍‌ ନେଇଥିଲେ। ଏହାର ଦ୍ୱିତୀୟ ଡୋଜ୍‌ର ତାରିଖ ୨୮ ଦିନ ପରେ ଥିଲା। କିନ୍ତୁ ସରକାର ଦ୍ୱିତୀୟ ଡୋଜ୍‌ର ଅନ୍ତର ୧୨ ସପ୍ତାହ ନେଇ ଘୋଷଣା କରିଥିଲେ। ଆଇସିଏମ୍‌ଆର ପକ୍ଷରୁ କୁହାଯାଇଥିଲା ଯେ, କୋଭିଶିଲ୍ଡର ପ୍ରଥମ ଡୋଜ ନେବା ପରେ ଶରୀରରେ ଭଲ ଆଣ୍ଟିବଡ଼ି ତିଆରି ହେଉଛି। ସେଥିପାଇଁ ପ୍ରଥମ ଓ ଦ୍ୱିତୀୟ ଡୋଜର ଅନ୍ତର ୧୨ ସପ୍ତାହ ରହିଲେ ଚଳିବ ବୋଲି ଘୋଷଣା କରାଯାଇଥିଲା। ହେଲେ ପ୍ରଥମ ଡୋଜ ନେବା ପରେ ପ୍ରତାପଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହି ନ ଥିଲା। ଏହାପରେ ପ୍ରତାପ ମେ’ ୨୫ରେ ଏକ ସରକାରୀ ମାନ୍ୟତା ପ୍ରାପ୍ତ ଏକ ଲ୍ୟାବରେ ନିଜର ଆଣ୍ଟିବଡ଼ି ପରୀକ୍ଷା କରାଇଥିଲେ। ମେ’ ୨୭ରେ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା ଅର୍ଥାତ୍‌ ତାଙ୍କ ଶରୀରରେ ଆଣ୍ଟିବଡ଼ି ତିଆରି ନ ହେବା ସହ ପାଟଲେଟ୍‌ ମଧ୍ୟ ୩ଲକ୍ଷରୁ ୧.୫ ପର୍ଯ୍ୟନ୍ତ ପହଞ୍ଚିଥିଲା। ଯେଉଁଥିରେ ସଂକ୍ରମଣର ଭୟ ଅଧିକ ରହିଥିଲା। ତେଣୁ ପ୍ରତାପ ଅଭିଯୋଗ କରିଛନ୍ତି ଯେ, କମ୍ପାନୀ ଓ ସ୍ବାସ୍ଥ୍ୟାଧିକାରୀ ତାଙ୍କ ସହ ବିଶ୍ୱାସଘାତକତା କରିଛନ୍ତି।

Share