Categories: ଜାତୀୟ

କଂଗ୍ରେସର ଅବସ୍ଥା ଦେଖି କେନ୍ଦ୍ରମନ୍ତ୍ରୀଙ୍କ ତରଳିଲା ହୃଦୟ: କହିଲେ, ହୃଦୟରୁ ଚାହୁଁଛି କଂଗ୍ରେସ ମଜଭୁତ ହେଉ

ମୁମ୍ବାଇ,୨୮।୩: ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ପାଇଁ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ହୃଦୟ ତରଳିଛି। କଂଗ୍ରେସ ପ୍ରତି ସହାନୁଭୂତି ପ୍ରଦାନ କରି ଗଡକରୀ ହୃଦୟରୁ କଂଗ୍ରେସ ମଜଭୁତ ହେଉ ବୋଲି କହିଛନ୍ତି। ଏକ କାର୍ଯ୍ୟକ୍ରମରେ ଗଡକରୀ କହିଛନ୍ତି, ଗଣତନ୍ତ୍ର ପାଇଁ ଏକ ଦୃଢ କଂଗ୍ରେସ ରହିବା ଆବଶ୍ୟକ। ଲଗାତାର ନିର୍ବାଚନରେ ହାରିଥିବା କଂଗ୍ରେସ ପୁଣି ଥରେ ଶକ୍ତିଶାଳୀ ହେବ ଏବଂ ଦଳର ନେତାମାନେ ନିରାଶାରେ ଦଳ ଛାଡନ୍ତୁ ନାହିଁ। ଏକ ଦୁର୍ବଳ କଂଗ୍ରେସର ଅର୍ଥ ହେଉଛି ଆଞ୍ଚଳିକ ଦଳଗୁଡିକ ମୁଖ୍ୟ ବିରୋଧୀ ଦଳର ସ୍ଥାନ ନେବେ।
ଲୋକମତ ସାମ୍ବାଦିକତା ପୁରସ୍କାର କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଶାସନ ବ୍ୟବସ୍ଥା ଏବଂ ବିରୋଧୀଙ୍କ ସହ ଗଣତନ୍ତ୍ର ଦୁଇଟି ଚକରେ ଚାଲିଥାଏ। ଗଣତନ୍ତ୍ର ପାଇଁ ଏକ ଦୃଢ ବିରୋଧୀ ଦଳର ଆବଶ୍ୟକତା ରହିଛି, ତେଣୁ କଂଗ୍ରେସ ଦୃଢ ହେବା ଆବଶ୍ୟକ। କଂଗ୍ରେସ ଦୁର୍ବଳ ଥିବାବେଳେ ଆଞ୍ଚଳିକ ଦଳଗୁଡ଼ିକ ଏହାର ସ୍ଥାନ ଗ୍ରହଣ କରୁଛନ୍ତି, ଯାହା ଗଣତନ୍ତ୍ର ପାଇଁ ଭଲ ନୁହେଁ। ଏଭଳି ପରିସ୍ଥିତିରେ ବିରୋଧୀ ଦଳ ଶକ୍ତିଶାଳୀ ହେବା ଉଚିତ୍‌ ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ପରାଜୟରେ ଦୁର୍ବଳ ନ ହୋଇ ଦଳ ସହ ରହିବାକୁ ସେ କଂଗ୍ରେସ ନେତାମାନଙ୍କୁ ମୁଁ ଅନୁରୋଧ କରୁଛି। ମୁଁ ହୃଦୟରୁ ଚାହୁଁଛି ଯେ କଂଗ୍ରେସ ଦୃଢ଼ ରହୁ। ଯେଉଁମାନେ କଂଗ୍ରେସର ଆଦର୍ଶକୁ ଅନୁସରଣ କରନ୍ତି, ସେମାନେ ଦଳ ସହିତ ରହି କାର୍ଯ୍ୟ ଜାରି ରଖିବା ଉଚିତ ଏବଂ ପରାଜୟ ଦ୍ୱାରା ନିରାଶ ହେବା ଉଚିତ୍‌ ନୁହେଁ। ଯଦି ପରାଜୟ ହୁଏ ତେବେ ଦିନେ ମଧ୍ୟ ବିଜୟ ହେବ। ଜବାହରଲାଲ ନେହେରୁ ଏହାର ଏକ ଉଦାହରଣ। ଯେତେବେଳେ ଅଟଳ ବିହାରୀ ବାଜପେୟୀ ଲୋକ ସଭା ନିର୍ବାଚନରେ ହାରିଗଲେ, ନେହେରୁ ତାଙ୍କୁ ସମ୍ମାନ କରୁଥିଲେ। ଗଣତନ୍ତ୍ରରେ ବିରୋଧୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

 

Share